ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖଡ଼ିଆଳ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ମାଝୀ ଙ୍କ ସହ କଂଗ୍ରେସର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍ ନେତାମାନେ ଏଥର କଂଗ୍ରେସ ଜିତିବ ବୋଲି କହିଛନ୍ତି । ଗତଥର କମ ଭୋଟରେ ଘାସିରାମ ମାଝୀ ନିର୍ବାଚନ ହାରି ଯାଇଥିଲେ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢ଼ୋଲକିଆଙ୍କଠାରୁ 10 ହଜାର ଭୋଟରେ ହାରିଥିଲେ ଘାସିରାମ । ନୂଆପଡ଼ା ଉପ ନିର୍ବାଚନରେ କଂଗ୍ରେସ ପାଇଁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ, ଭୁପେଶ ବଘେଲ, ସଚିନ ପାଇଲଟ, ରେବନ୍ତ ରେଡ୍ଡୀ ମଧ୍ୟ ପ୍ରଚାର କରିବେ। ଏହାସହ କହ୍ନେୟା କୁମାର, ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ। ନରସିଂହ ମିଶ୍ର, ତାରା ବାହିନୀପତି, ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ୱ ଦିଆଯାଇଛି। ଯଦି ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ହୁଏ ତେବେ କଂଗ୍ରେସର ଫାଇଦା ହେବ ବୋଲି ଚର୍ଚା ହେଉଛି । ତେବେ ଏଥର ଆଦିବାସୀ ଭୋଟ ଯାହାକୁ ଯିବ , ସେହିଁ ନିର୍ବାଚନ ଜିତିବ ।
1997 ମସିହା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ଏହି ଆସନରୁ ବିଜୟୀ ହୋଇଥିଲେ । 2000 ମସିହା ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟକ ଭାବେ ନିର୍ବାଚନ ଜିତିଥିଲେ । ସେବେଠାରୁ କଂଗ୍ରେସ ଏହି ଆସନରେ ଆଉ ଜିତିପାରିନାହିଁ । ଅବଶ୍ୟ 1980 ମସିହାରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭାନୁପ୍ରକାଶ ଯୋଶୀ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟଲାଭ କରିଥିଲେ । ପୂର୍ବ ତଥ୍ୟ ଅନୁସାରେ ଏହି ଆସନରେ ବିଜେପି, ବିଜେଡି ଏବଂ କଂଗ୍ରେସର ପ୍ରାର୍ଥୀମାନେ ପୂର୍ବରୁ ଏହି ଆସନରେ ଜିତିଛନ୍ତି ।
ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ପ୍ରଥମ ଦଳ ଭାବେ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ଘାସିରାମ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ, ତାହା କେବଳ ଆଦିବାସୀ ସଂଘ ଯୋଗୁ ମିଳିଥିଲା।