କଟକ: ରାଜ୍ୟ ରାଜନୀତିରେ କଂଗ୍ରେସ ପାଇଁ ଆସିଛି ଏକ ବଡ଼ ଧକ୍କା। ଦୀର୍ଘ ଦିନରୁ କୁହୁଳୁଥିବା ଅସନ୍ତୋଷ ଏବେ ଏକ ବିଶାଳ ବିଦ୍ରୋହର ରୂପ ନେଇଛି। କଟକର ଟାଣୁଆ ନେତା ମହମ୍ମଦ ମୋକିମଙ୍କ ସମର୍ଥନରେ ଦଳର ୪୧ ଜଣ ପ୍ରମୁଖ ନେତା ଏକାସଙ୍ଗେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ୪୧ ଜଣଙ୍କ ମଧ୍ୟରେ କେବଳ କର୍ମୀ ନୁହଁନ୍ତି, ବରଂ ଦଳର ଅନେକ ପୁରୁଣା ଓ ଅଭିଜ୍ଞ ନେତା ସାମିଲ ଅଛନ୍ତି` । ପୂର୍ବତନ ପିସିସି ସମ୍ପାଦକ ଓ ମୁଖପାତ୍ର,ପୂର୍ବତନ ବ୍ଲକ ସଭାପତି,ଏକାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି ।
ମହମ୍ମଦ ମୋକିମ ଓ ପିସିସି (PCC) ନେତୃତ୍ୱ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା। ମୋକିମଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ଦଳ ଭିତରେ କର୍ମଠ ନେତାଙ୍କୁ ଅଣଦେଖା କରାଯାଉଛି ଏବଂ କଟକରେ କଂଗ୍ରେସର ଶକ୍ତି ବୃଦ୍ଧି ପାଇଁ ମୋକିମ ଯେଉଁ ଉଦ୍ୟମ କରୁଛନ୍ତି, ତାହାକୁ ଦଳର କିଛି ଗୋଷ୍ଠୀ ବାରମ୍ବାର ବାଧା ଦେଉଛନ୍ତି। ଏହି ନିଷ୍ପତ୍ତି କଂଗ୍ରେସର ‘ଗ୍ରାଉଣ୍ଡ ନେଟୱାର୍କ’କୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି। ଏହି ସମୂହ ଇସ୍ତଫା କେବଳ ଏକ ବିଦ୍ରୋହ ନୁହେଁ, ବରଂ ଏକ ନୂଆ ରାଜନୈତିକ ସମୀକରଣର ସଙ୍କେତ। ଚର୍ଚ୍ଚା ହେଉଛି ଯେ ମୋକିମ ନିଜର ଏକ ସ୍ୱତନ୍ତ୍ର ଗୋଷ୍ଠୀ କିମ୍ବା ତୃତୀୟ ସାମ୍ମୁଖ୍ୟ (Third Front) ଗଠନ କରିପାରନ୍ତି। ନିକଟରେ ବିଜୟ ମହାପାତ୍ରଙ୍କ ସହ ତାଙ୍କର ଦେଖାସାକ୍ଷାତ ଏହି ସନ୍ଦେହକୁ ଆହୁରି ଦୃଢ଼ କରିଛି।



















