ଆନ୍ଧ୍ରର ଆରକୁରେ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍ ଧୋଇଯାଇଛି। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପରେ କିଛି ସ୍ଥାନରେ ଗଛ ଭାଙ୍ଗିବା ସହ ପଥର ଧସିଛି । ଲୋକଙ୍କ ଘର ମଧ୍ୟ ଭୁଷୁଡି ପଡିଛି । ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା ରୁଟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନ୍ଗୁଡ଼ିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ରେଳ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ପାଣି ମାଡ଼ି ଆସିଥିବାରୁ ରେଳ ଲାଇନର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି।
ବର୍ଷା କମିବା ପରେ ରେଳ ଲାଇନ ମରାମତି କରାଯାଇ ରେଳ ଚଳାଚଳକୁ ସ୍ବାଭାବିକ କରାଯିବ। ସେହିପରି ଆରକୁ ଘାଟି ରାସ୍ତା ଜଳମଗ୍ନ ହୋଇଛି। ପାହାଡ଼ରୁ ପାଣି ମାଡ଼ି ଆସିବା ଫଳରେ ରାଜ୍ୟ ରାଜପଥର ଆରକୁ ଘାଟି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲମତାପୁଟ-ଆରକୁ-ବିଶାଖାପାଟଣା ରୁଟକୁ ବନ୍ଦ କରି ଦିଆଯାଇଛି। ଏହି ରୁଟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାତାୟାତ କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୋମବାର ସନ୍ଧ୍ୟାରୁ ଆନ୍ଧ୍ରରେ ବର୍ଷା ଲାଗି ରହିଥିବାରୁ ଆରକୁ ଘାଟି ଉପରୁ ପାଣି ମାଡ଼ି ଆସି ରାଜପଥ ଉପର ଦେଇ ପ୍ରବାହିତ ହେଉଛି।
ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମିରୁ ୫୦ କି.ମି ବେଗରେ ପବନ ବହିଥିଲା। ବୁଧବାର ସକାଳ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କି.ମି. କିମ୍ବା ୮୦ କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ହ୍ରାସ ପାଇ ୩୦ ଅକ୍ଟୋବର ସକାଳେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ଏବଂ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








