ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଆଜି କିଛି ସ୍ବତନ୍ତ୍ର ନୂଆ ଜିନିଷ କିଣିଲେ ଏହା ଭାଗ୍ୟରେ ପରିବର୍ତ୍ତନ ଆଣିଥାଏ । ଆପଣ ଯଦି ଭାଗ୍ୟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ରାଶି ଅନୁସାରେ କିଛି ନୂଆ ଜିନିଷ କିଣିବାକୁ ସଂକଳ୍ପ ନିଅନ୍ତୁ । ଯଦି ଆଜିର ଦିନରେ ବାସନ କିମ୍ବା ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବେ ଆପଣଙ୍କ ଭାଗ୍ୟରେ ଶୁଭପ୍ରଦ ହୋଇପାରେ । କାରଣ ପରମ୍ପରା ଅନୁସାରେ ଆଜିର ଦିନରେ ଏମିତି କିଛି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଥାଏ ।
ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କ ଧର୍ମୀୟ ବିଶ୍ୱାସ ରହିଛି । ବିଶେଷ କରି ସୁନା, ରୁପା ଓ ମୂଲ୍ୟବାନ ଧାତୁ କିଣିବାକୁ ଦୋକାନରେ ଆଜି ଭିଡ଼ ଜମିବ । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି କୁହାଯାଏ । ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି ଆପଣ କିଣିପାରନ୍ତି । ଏପରିକି ନୂଆ ଆସବାବପତ୍ର ଲୋକ କିଣାକିଣି କରିଥାନ୍ତି । ପବିତ୍ର ଧନତେରାସରୁ ଆରମ୍ଭ ହେଉଛି ହିନ୍ଦୁଙ୍କ ପଞ୍ଚ ପର୍ବ । ତେବେ ଚଳିତ ବର୍ଷ ପଞ୍ଚପର୍ବ ୫ ଦିନ ବଦଳରେ ୬ ଦିନ ଧରି ପାଳିତ ହେବ । ଏହି ପଞ୍ଚପର୍ବ ପାଞ୍ଚ ଗ୍ରହ, ପାଞ୍ଚ ଶକ୍ତି ଓ ୫ଟି ପର୍ବପର୍ବାଣୀ ପାଇଁ ଉତ୍ସର୍ଗୀକୃତ । ଧନତେରାସ ପରେ ମରକ ଚତୁର୍ଦ୍ଦଶୀ, ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାଇ ଜିଉନ୍ତିଆ ପାଳିତ ହେବ ।