ମ୍ୟାଁମାରରୁ ମୁସଲିମ ରୋହିଙ୍ଗ୍ୟାଙ୍କ ବିଷୟରେ ବିଚଳିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟାମାନଙ୍କ ଉପରେ ତୋପ ଓ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ମ୍ୟାଁମାରର ପଶ୍ଚିମ ରଖାଇନ୍ ରାଜ୍ୟରେ ବାଂଲାଦେଶ ସୀମା ନିକଟରେ ଏହି ଆକ୍ରମଣ ହୋଇଛି। ନଦୀ କୂଳରେ ଡଙ୍ଗାକୁ ଅପେକ୍ଷା କରିଥିବା ରୋହିଙ୍ଗ୍ୟା ଲୋକଙ୍କ ଠିକ୍ ଉପରେ ବୋମା ପକା ଯାଇଥିଲା। ଜୀବନ ରକ୍ଷା ପାଇଁ ଲୋକମାନେ ସିଧା ନଦୀକୁ ଡେଇଁ ପଡ଼ିଥିଲେ। ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ଭୟଙ୍କର ଭିଡିଓରେ ନଦୀ କୂଳ ରାସ୍ତାରେ କାଦୁଅ ବୋଳି ହୋଇଥିବା ଏକାଧିକ ବ୍ୟକ୍ତି ଓ ଶିଶୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।ଏହି ଆକ୍ରମଣରୁ ରକ୍ଷା ପାଇଥିବା ଦୁଇ ଜଣ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ରଖାଇନ୍ ରାଜ୍ୟ ଉପରେ ସାମରିକ ପ୍ରଭୁତ୍ଵ ବିସ୍ତାର କରିଥିବା ଅରାକାନ୍ ଆର୍ମି ଏହି ଆକ୍ରମଣ କରିଛି। ମ୍ୟାଁମାରର ସାମରିକ ସରକାର ମଧ୍ୟ ଏହି ଆକ୍ରମଣ ପାଇଁ ଅରାକାନ ଆର୍ମିକୁ ଦାୟୀ କରିଛନ୍ତି। ଅପରପକ୍ଷେ ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ଅରାକାନ ଆର୍ମି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




