ସରକାରୀ କାର୍ଯ୍ୟାଳୟର ସମ୍ମାନ ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ସରକାରୀ ଅଫିସ୍ ପରିସରରେ ରିଲ୍ସ କିମ୍ବା ସୋସିଆଲ ମିଡିଆ ଭିଡିଓ ପ୍ରସ୍ତୁତି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ବିଶେଷ କରି ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନ ପରି ହାଇ-ପ୍ରୋଫାଇଲ୍ ତଥା ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି କଟକଣା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ।
ଅନେକ ସମୟରେ କର୍ମଚାରୀ ଏବଂ ବାହାରୁ ଆସୁଥିବା ଲୋକମାନେ ଅଫିସ୍ ଭିତରେ ଭିଡିଓ ବନାଇବା ସହ ସମ୍ବେଦନଶୀଳ ଅଞ୍ଚଳର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରୁଥିବା ଦେଖାଯାଉଥିଲା। ଏହାଦ୍ୱାରା ସରକାରୀ ଗୁପ୍ତ ତଥ୍ୟର ସୁରକ୍ଷା ବ୍ୟାହତ ହେବା ସହ କାର୍ଯ୍ୟାଳୟର ଶୃଙ୍ଖଳା ନଷ୍ଟ ହେଉଥିଲା। ଏଣିକି ଅଫିସ୍ ଭିତରର କୌଣସି ବି ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ବାରଣ କରାଯାଇଛି।
ନୂଆ ନିୟମକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀଙ୍କ କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବାକୁ ଥିବାବେଳେ ଭିଜିଟର୍ସଙ୍କ ବିରୋଧରେ ସୁରକ୍ଷା ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ପ୍ରତିଷ୍ଠାନଗୁଡ଼ିକର ସମ୍ମାନ ରକ୍ଷା କରିବାକୁ ସରକାର ଏହି ‘କ୍ଲିନ୍ ଅପରେସନ’ ଆରମ୍ଭ କରିଛନ୍ତି।


















