ଭଦ୍ରକ ଜିଲ୍ଲା ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି। ବିଜେଡିରୁ ପୂର୍ବରୁ ଇସ୍ତଫା ଦେଇସାରିଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ଲୁଲୁ ସାମଲଙ୍କ ନେତୃତ୍ୱରେ ଦଳର ୪ ଜଣ ବ୍ଲକ୍ ଅଧ୍ୟକ୍ଷ ସମୂହ ଇସ୍ତଫା ଦେବା ଘଟଣା ଶାସକ ଦଳକୁ ଏକ ଶକ୍ତ ଧକ୍କା ଦେଇଛି। ଏହି ଘଟଣା ପଛରେ ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର ଥିବା ନେଇ ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି। ଲୁଲୁ ସାମଲ ବର୍ତ୍ତମାନ ବିଜେପି ଲିଙ୍କରେ ରହି ଜିଲ୍ଲାରେ ବିଜେଡିକୁ ଦୁର୍ବଳ କରିବା ପାଇଁ ପୂରା ଦମରେ ନିଜର ରାଜନୈତିକ ଗୋଟି ଚାଳନା କରିଛନ୍ତି।
ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ ଏବଂ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷମାନେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି। ଆସନ୍ତା ଡିସେମ୍ବର ୭ ତାରିଖ ଦିନ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟରେ ଥିବା ମଠ ପଡ଼ିଆରେ ଏକ ବଡ଼ ଧରଣର ବିଜେପି ମହାମିଶ୍ରଣ ପର୍ବ ଆୟୋଜନ ହେବାକୁ ଯାଉଛି।
ଏହି ମିଶ୍ରଣ ପର୍ବରେ ୪ ବ୍ଳକ ଅଧ୍ୟକ୍ଷଙ୍କ ସହିତ ପ୍ରାୟ ୫୦ରୁ ଅଧିକ ସମିତି ସଭ୍ୟ, ସରପଞ୍ଚ ଏବଂ ହଜାରେରୁ ଅଧିକ ବିଜେଡି ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସୀତାଂଶୁ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ। ଏହି ଘଟଣା ଭଦ୍ରକ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଛି:
ପ୍ରଫୁଲ୍ଲ ସାମଲଙ୍କ ଭୂମିକା: ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ବର୍ତ୍ତମାନ ଦଳର ଦାୟିତ୍ୱ ନେବା ପରେ ନିଜ ପୁଅ ଲୁଲୁ ଏବଂ ତାଙ୍କ ନେତୃତ୍ୱରେ ବିଜେପିକୁ ଯିବାକୁ ବସିଥିବା ଏହି ନେତାଙ୍କୁ ରୋକିପାରିବେ କି? ତାଙ୍କ ପୁଅକୁ ସେ କ’ଣ ଦଳକୁ ଫେରାଇ ଆଣିବେ? ଇସ୍ତଫା ଦେଇଥିବା ଏହି ୪ ବ୍ଲକ୍ ଅଧ୍ୟକ୍ଷ କ’ଣ ପ୍ରଫୁଲ୍ଲ ସାମଲଙ୍କ ହସ୍ତକ୍ଷେପ ପରେ ପୁଣି ବିଜେଡିକୁ ଫେରିବେ? ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି।
ଜିଲ୍ଲାର ଏହି ରାଜନୈତିକ ଉଷ୍ଣତା ପଛରେ ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ସାମଲ ପରିବାର ମଧ୍ୟରେ ଚାଲିଥିବା କ୍ଷମତା ସଂଘର୍ଷ ମଧ୍ୟ ରହିଛି। ଲୁଲୁ ସାମଲ ଧୀରେ ଧୀରେ ପ୍ରଭାବଶାଳୀ ହେଉଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପତିଆରା କମି କମି ଯାଉଥିବା ଆଲୋଚନା ହେଉଛି।
ସଞ୍ଜୀବ ମଲ୍ଲିକ ଭଦ୍ରକ ଓ ଭଣ୍ଡାରିପୋଖରୀ ଦୁଇଟି ଯାକ ଆସନକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଥିବା ବେଳେ, ସାମଲ ପରିବାର ମଧ୍ୟ ଏହି ଆସନଗୁଡ଼ିକ ଉପରେ ନିଜର ରାଜନୈତିକ ପତିଆରା ବଜାୟ ରଖିବାକୁ ଚାହୁଁଛନ୍ତି।
ସଞ୍ଜୀବ ଏବେ ‘ବିଜେଡି ବଞ୍ଚାଅ’ ଅଭିଯାନରେ କେତେ ସଫଳ ହେଉଛନ୍ତି, ତାହା ଆଗାମୀ ଦିନର ରାଜନୈତିକ ପାଣିପାଗ ସ୍ପଷ୍ଟ କରିବ। ସମସ୍ତଙ୍କ ନଜର ଏବେ ଡିସେମ୍ବର ୭ ତାରିଖରେ ହେବାକୁ ଥିବା ମହାମିଶ୍ରଣ ପର୍ବ ଉପରେ ରହିଛି।


















