ଧର୍ମଶାଳା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି। ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜରେ ନିଜର ଦବଦବା ବଜାୟ ରଖିଛି।
ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ
ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ହିଁ ଦୋହଲି ଯାଇଥିଲା । ଦଳ ବାରମ୍ବାର ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ଅଧିନାୟକ ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ, ଏବଂ ତାଙ୍କୁ ଡୋନୋଭନ ଫରେରା ,୨୦ ରନ୍, ସାମାନ୍ୟ ସହଯୋଗ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୧୧୭ ରନ୍ର ଏକ ସାଧାରଣ ସ୍କୋର କରିବାରେ ସଫଳ ହୋଇଥିଲା। ଭାରତୀୟ ବୋଲରମାନେ ମିଳିତ ଭାବେ ଘାତକ ବୋଲିଂ ପ୍ରଦର୍ଶନ କରିଥିଲେ। ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, କୂଳଦୀପ ଯାଦବ ଏବଂ ଅର୍ଶଦୀପ ସିଂ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏଥିସହ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
୧୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୫.୫ ଓଭରରେ ମାତ୍ର ୩ ୱିକେଟ ହରାଇ ସହଜରେ ହାସଲ କରିନେଇଥିଲା। ଯୁବ ଓପନର ଅଭିଷେକ ଶର୍ମା (୩୫ ରନ୍) ଏବଂ ଶୁଭମନ ଗିଲ୍ (୨୮ ରନ୍) ଦଳକୁ ଏକ ଦ୍ରୁତ ଓ ମଜଭୁତ ଆରମ୍ଭ ଦେଇଥିଲେ। ସେହିପରି ତିଳକ ବର୍ମା ୨୫ ରନ୍ ର ଏକ ଉପଯୋଗୀ ଇନିଂସ ଖେଳି ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲେ।
ଦ୍ରୁତ ବିଜୟ ହାସଲ କରି ଭାରତ ସିରିଜରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆତ୍ମବିଶ୍ୱାସ ବଢ଼ାଇଛି।
















