ଆଜି ସନ୍ଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍ର ପ୍ରଥମ ମୁକାବିଲା ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର କିଛି ଖେଳାଳି ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ଶ୍ରୀମନ୍ଦିର ନିକଟରେ ଏନେଇ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା । କିଛି ସମୟ ପାଇଁ ସାଧାରଣ ଯାତ୍ରୀଙ୍କୁ ଅଟକାଯାଇଥିଲା ।
କୋଚ୍ ଓ ଖେଳାଳିଙ୍କ ଶ୍ରୀମନ୍ଦିର ଗସ୍ତ
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ,ତାଙ୍କ ଧର୍ମପତ୍ନୀଙ୍କ ସହିତ,କିଛି ଯୁବ ଖେଳାଳି ତିଳକ ବର୍ମା, ଏବଂ ୱିକେଟ୍ କିପର୍ ଜିତେଶ ଶର୍ମା ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେମାନଙ୍କ ସହିତ କୋଚ୍ ଗୌତମ ଗମ୍ଭୀର ଏବଂ ଟିମର କେତେକ ସପୋର୍ଟ ଷ୍ଟାଫ୍ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ।
କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା
ଖେଳାଳିମାନଙ୍କ ଶ୍ରୀମନ୍ଦିର ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ଏହା ପୂର୍ବରୁ ମଧ୍ୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପାଟଣାରେ ଅନୁଷ୍ଠିତ ତୃତୀୟ ଦିନିକିଆ ପରେ ତାରକା ଖେଳାଳି ବିରାଟ କୋହଲି ଏବଂ ୱାସିଂଟନ ସୁନ୍ଦର ସେଠାକାର ପ୍ରସିଦ୍ଧ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ଯାଇ ଦର୍ଶନ କରିଥିଲେ।
ଟିମ୍ ଇଣ୍ଡିଆର ଖେଳାଳିମାନେ ବାରବାଟୀ ମୁକାବିଲା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିବାରୁ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ ବୋଲି ଆଶା ରଖିଛନ୍ତି।




















