ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରିଛି। ନଭେମ୍ବର ୨୨ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ମାଲକ୍କା ଷ୍ଟ୍ରେଟ୍ ନିକଟରେ ସୃଷ୍ଟି ହୋଇଥିବା ଏହି ନିମ୍ନ ଚାପ କ୍ଷେତ୍ର ୨୪ ନଭେମ୍ବର ସୁଦ୍ଧା ବଙ୍ଗୋପସାଗରରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରେ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଗତିଶୀଳ ହେବା ସହ ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହା ବାତ୍ୟା ରୂପ ନେବ କି ନାହିଁ ସେ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରି ନାହିଁ। ତେବେ ଅବପାତ ପରେ ଅଧିକ ଘନୀଭୂତ ହେବାକୁ ଥିବାରୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।















