ଗୁଜୁରାଟର ଗଣେଶ ବାରୈୟାଙ୍କ ଉଚ୍ଚତା ମାତ୍ର ତିନି ଫୁଟ୍ । ତାଙ୍କର ଇଚ୍ଛା ଥିଲା ଡାକ୍ତର ହେବା । ତେବେ ତାଙ୍କ ଉଚ୍ଚତା ପାଇଁ ସେ ଡାକ୍ତର ହେବା କଷ୍ଟକର ହେଉଥିଲା । ଏନେଇ ସେ ଆଇନର ସହାୟତା ନେଇଥିଲେ । ଆଉ ଆଇନଗତ ଲଢ଼େଇ ଜିତି ଡାକ୍ତର ହେବାର ସ୍ୱପ୍ନକୁ ସାକାର କରି ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ତାଙ୍କର ଏହି ଯାତ୍ରା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (MCI) କେବଳ ତାଙ୍କର ଉଚ୍ଚତାକୁ ଆଧାର କରି MBBS କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ମନା କରିଦେଇଥିଲା।
କମ ଉଚ୍ଚତା ଯୋଗୁଁ ବାରୈୟାଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । ତାଙ୍କର ଉଚ୍ଚତା ମାତ୍ର ତିନି ଫୁଟ୍ ଏବଂ ଓଜନ ୨୦ କିଲୋଗ୍ରାମରୁ କମ୍। ଏହା ସହିତ ସେ ୭୨ ପ୍ରତିଶତ ଲୋକୋମୋଟିଭ୍ ଅକ୍ଷମତା ର ଶିକାର ଥିଲେ । MCI ପ୍ରାରମ୍ଭରେ ଏହି ଶାରୀରିକ ସୀମାବଦ୍ଧତା ଦର୍ଶାଇଥିଲା ଯେ ଏହା ତାଙ୍କର ଡାକ୍ତର ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ବାଧା ଦେଇପାରେ। ତାଲାଜାସ୍ଥିତ ନୀଳକଣ୍ଠ ବିଦ୍ୟାପୀଠରୁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିବା ଗଣେଶ ନିରାଶ ନହୋଇ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେ ଗୁଜୁରାଟ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ତାଙ୍କର କୃଷକ ପରିବାର ଆଇନଗତ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଥିବାରୁ ତାଙ୍କ ସ୍କୁଲ୍ ପ୍ରିନ୍ସିପାଲ୍ ଡ. ଦଲପତଭାଇ କାଟାରିୟା ସାହାଯ୍ୟ କରିଥିଲେ। ହାଇକୋର୍ଟ ପ୍ରାରମ୍ଭରେ MCI ର ନିଷ୍ପତ୍ତିକୁ ବଜାୟ ରଖିଥିଲେ। ମାତ୍ର ଗଣେଶ ନିଜ ସ୍ୱପ୍ନ ଛାଡ଼ି ନଥିଲେ ଏବଂ ଏହି ଲଢ଼େଇକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟକୁ ଯିବାର ଚାରି ମାସ ପରେ, ସୁପ୍ରିମକୋର୍ଟ ରାୟ ଦେଲେ ଯେ ଗଣେଶଙ୍କୁ ତାଙ୍କ ତିନି ଫୁଟ୍ ଉଚ୍ଚତା ହେତୁ ପ୍ରବେଶ ଅନୁମତି ଦେବାରୁ ବାରଣ କରାଯାଇ ପାରିବ ନାହିଁ।
କୋର୍ଟଙ୍କ ସମର୍ଥନ ପାଇବା ପରେ ଗଣେଶ ବାରୈୟା ୨୦୧୯ ମସିହାରେ ଭାବନଗର ମେଡିକାଲ୍ କଲେଜରେ ନାମ ଲେଖାଇଲେ ଏବଂ ସଫଳତାର ସହ ଶିକ୍ଷା ସମାପ୍ତ କଲେ। ରାଜ୍ୟ-ଅନୁମୋଦିତ ଇଣ୍ଟର୍ନସିପ୍ ଶେଷ କରିବା ପରେ, ବାରୈୟା ବର୍ତ୍ତମାନ ସେହି ସ୍ୱପ୍ନ ଅନୁଯାୟୀ ଲୋକଙ୍କ ସେବାରେ ଡାକ୍ତର ଭାବେ ନିୟୋଜିତ ଅଛନ୍ତି। ଗଣେଶ କହିଛନ୍ତି, “ମୁଁ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଚିକିତ୍ସା କରିବାକୁ ଚାହୁଁଛି। ଗାଁରେ ଡାକ୍ତରଙ୍କର ହିଁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି।” ଉଲ୍ଲେଖଯୋଗ୍ୟ ଯେ, ସେ ବିଶ୍ୱର ସର୍ବକନିଷ୍ଠ ଡାକ୍ତର ହେବାର ମାନ୍ୟତା ପାଇଁ ମଧ୍ୟ ଆଶା ରଖିଛନ୍ତି। ନିଜର ଉଚ୍ଚତା ଯୋଗୁଁ ସେ କହିଛନ୍ତି ଯେ, “ଯେତେବେଳେ ରୋଗୀମାନେ ପ୍ରଥମେ ମୋତେ ଦେଖନ୍ତି, ସେମାନେ ଟିକେ ଆଶ୍ଚର୍ଯ୍ୟ ହୁଅନ୍ତି, କିନ୍ତୁ ସମୟକ୍ରମେ ସେମାନେ ମୋତେ ସେମାନଙ୍କ ଡାକ୍ତର ଭାବରେ ଗ୍ରହଣ କରନ୍ତି ଏବଂ ତାହା ସେମାନଙ୍କୁ ଖୁସି ମଧ୍ୟ ଦିଏ।” ଗଣେଶ ବାରୈୟାଙ୍କ ଡାକ୍ତର ହେବାର ଯାତ୍ରା ସମସ୍ତ ସଂକଟ ସତ୍ତ୍ବେ ଏକ ଉଦାହରଣ ହୋଇ ରହିଛି ।


















