ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ନବୀନଙ୍କ ଜନ୍ମଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ନବୀନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି: “ମୁଁ ପ୍ରାର୍ଥନା କରୁଛି ଯେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ।”

ଏହା ସହ ଓଡ଼ିଶାର ରାଜ୍ୟପାଳ ହରି ବାବୁ କାମ୍ଭମପତି ମଧ୍ୟ ଏକ୍ସରେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି- ନବୀନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୂ ଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। ସେହିଭଳି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି।
ଜନ୍ମଦିନ ଅବସରରରେ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । କିଛି ବାଟ ଚାଲିବା ସହିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । ନବୀନ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ । ସେବା ବିଜୁ ଜନତା ଦଳ ର ମନ୍ତ୍ର । ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ । ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ ରୁ ଆରମ୍ଭ ହୋଇଛି. ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ । ଆଜିର ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର,ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟକ., ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ବିଭୁତି ବଳବନ୍ତରାୟ ,ଭୁବନେଶ୍ୱର ର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡି ର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ର କର୍ପୋରେଟର ମାନେ ଯୋଗ ଦେଇଥିଲେ ।



















