ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ହଜାର ହଜାର ଆମେରିକାର ନାଗରିକ ରାଜରାସ୍ତାରେ ଆସି ଆନ୍ଦୋଳନ କରୁଛନ୍ତି । ଟ୍ରମ୍ପଙ୍କ ଏକଛତ୍ରବାଦୀ ନୀତିକୁ ନେଇ ଲୋକମାନେ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି । ଏହି ଆନ୍ଦୋଳନ ଆମେରିକା, କାନାଡ଼ା, ୟୁରୋପର ବଡ଼ ବଡ଼ ସହରରେ ଦେଖିବାକୁ ମିଳିଛି । ଯେଉଁଠି ହଜାର ହଜାର ନାଗରିକ ପ୍ରତିବାଦ କରିବା ସହ ଟ୍ରମ୍ପ ରାଜା ନୁହଁନ୍ତି ବୋଲି ସ୍ଲୋଗାନ ଦେଇଛନ୍ତି । ୱାଶିଂଟନ ଡିସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଆମେରିକାର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ଲୋକ ଏହି ପ୍ରତିବାଦ କରିଛନ୍ତି । ବିଭିନ୍ନ ସହରରେ ପ୍ରଦର୍ଶନକାରୀମାନେ ନୋ କିଙ୍ଗସ୍ ସ୍ଲୋଗାନ ଦେଇ ଶୋଭାଯାତ୍ରା ଏବଂ ରାଲି କରୁଛନ୍ତି। ନୋ କିଙ୍ଗସ୍ ନାମକ ଏହି ପ୍ରଦର୍ଶନର ପ୍ରଭାବ ଆମେରିକାରେ ପଡ଼ିଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକଛତ୍ରବାଦକୁ ଲୋକେ ଗ୍ରହଣ କରିବାକୁ ଚାହୁଁନଥିବା କହିଛନ୍ତି ।
ଆମେରିକୀୟ ସହରଗୁଡ଼ିକରେ ଟ୍ରମ୍ପ ଫେଡେରାଲ୍ ଫୋର୍ସ ବା ନ୍ୟାସନାଲ୍ ଗାର୍ଡଙ୍କୁ ନିୟୋଜିତ କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ଟ୍ରମ୍ପ ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଛି । ପ୍ରତିବାଦକାରୀମାନେ ଏହାକୁ ଟ୍ରମ୍ପଙ୍କ କ୍ଷମତାର ଦୂରୁପଯୋଗ କହୁଛନ୍ତି । ଗତ କିଛି ଦିନ ଭିତରେ ଆମେରିକାର ୫୦ଟି ରାଜ୍ୟରେ ୨,୫୦୦ରୁ ଅଧିକ ପ୍ରଦର୍ଶନ ଟ୍ରମ୍ପଙ୍କ ବିରୋଧରେ କରାଯାଇଛି।
ଆଜି ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଟ୍ରମ୍ପ ରାଜା ନୁହଁନ୍ତି ବୋଲି ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଯାହାକୁ ନେଇ ଟ୍ରମ୍ପ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି , ସେ କେବେ ନିଜକୁ ରାଜା ବୋଲି କହିନାହାଁନ୍ତି । ‘’ମୁଁ ଜଣେ ରାଜା ପରି ଅନୁଭବ କରୁନାହିଁ। ରାଜା ଭଳି ଅନୁଭବ କରିବା ମାନେ ଏକ ଖରାପ ଭାବନା କୁହାଯିବ’’ । ଏହିଭଳି ପ୍ରଚାର କେବଳ ଡେମୋକ୍ରାଟଙ୍କ ଦ୍ୱାରା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ବାମପନ୍ଥୀ ବିଚାରଧାରା ଲୋକମାନେ ତାଙ୍କୁ ସହ୍ୟ କରିପାରୁନାହାଁନ୍ତି । ୱାଶିଂଟନ ଏବଂ ଲସ୍ ଆଞ୍ଜେଲସରେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ସେ କହିଥିଲେ ଯେ ସେମାନେ ଦେଶ ବିରୋଧି ତତ୍ତ୍ବ । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଏହି ପ୍ରତିବାଦଗୁଡ଼ିକୁ ବିରୋଧୀ ଦଳର ଆମେରିକା ଘୃଣା ବା “ହେଟ୍ ଆମେରିକା” ରାଲି ବୋଲି ନାମ ଦେଇଛି।