ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କ ବିରୁଦ୍ଧରେ ଘଟିଥିବା ନିଷ୍ଠୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମମତାଙ୍କ ବୟାନ ରାଜ୍ୟରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟକୁ ସମାଲୋଚନା କରାଯାଉଛି । ଘଟଣା ରାତିରେ ଘଟିଥିବା ବେଳେ ମମତା ଭୁଲ ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଓ ସାମାଜିକ ସ୍ତରରେ ତୀବ୍ର ସମାଲୋଚନା ହୋଇଛି। ଘଟଣା ରାତି 10 ଭିତରେ ଘଟିଥିବା ବେଳେ ମମତା ରାତି 12ଟା 30 କହୁଛନ୍ତି । ଏତେ ରାତିରେ ବାହାରକୁ କାହିଁକି ଛାତ୍ରୀ ବାହାରକୁ ଯାଇଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ସମାଲୋଚନା କରାଯାଉଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମମତାଙ୍କ ବୟାନକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମମତାଙ୍କ ବକ୍ତବ୍ୟ ମହିଳାଙ୍କ ପ୍ରତି ଅପମାନ । ଦୋଷୀଙ୍କୁ ଦଣ୍ଡ ଦେବା ବଦଳରେ ତାଙ୍କ ବୟାନ ଅପରାଧିଙ୍କୁ ସୁରକ୍ଷା ଭଳି ଲାଗୁଛି । ସେପଟେ ବାଲେଶ୍ବର ଯାଇଛନ୍ତି ରାଜ୍ୟ ମହିଳା କମିସନ୍ ଶୋଭନା ମହାନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବେ ରାଜ୍ୟ ମହିଳା କମିସନ୍। ଦୁର୍ଗାପୁର ପୁଲିସର ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗି ରହିଥିବା ଜଙ୍ଗଲ ଆଖପାଖ ଅଞ୍ଚଳର। ପୀଡ଼ିତାଙ୍କ ପାଖରୁ ଛଡ଼ାଇ ନେଇଥିବା ମୋବାଇଲ୍କୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ସେମାନେ ପାରନଗଞ୍ଜ ଜଙ୍ଗଲରେ ଲୁଚି ରହିଥିଲେ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଏହି ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ବିଜେପିର ବରିଷ୍ଠ ନେତାମାନେ ମତ ରଖୁଛନ୍ତି । ମହିଳା ସାମାଜିକ କର୍ମୀମାନେ ମମତାଙ୍କ ବୟାନଙ୍କୁ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଘଟଣା ଅନୁସାରେ ଦୁର୍ଗାପୁର ସିଟି ମେଡିକାଲ୍ କଲେଜରେ ପଢ଼ୁଥିବା ୨୩ ବର୍ଷୀୟ ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଯାହାଙ୍କ ଘର ଓଡ଼ିଶାର ଜାଲେଶ୍ୱରରେ । ଶୁକ୍ରବାର ରାତିରେ କ୍ୟାମ୍ପସ ପଛରେ ଏକ ଜଙ୍ଗଲ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେ ପୁରୁଷ ବନ୍ଧୁଙ୍କ ସହିତ ରାତି ୮:୩୦ ପରେ ଡିନର୍ ପାଇଁ ବାହାରିଥିଲେ। ଡିନର ସାରି ଫେରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ବଳପୂର୍ବକ ଏକ ଜଙ୍ଗଲ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରିଥିଲେ ।
ପୀଡ଼ିତାଙ୍କ ପରିବାର ସୂଚନା ପାଇ ଦୁର୍ଗାପୁର ପହଞ୍ଚି ନ୍ୟୁ ଟାଉନସିପ୍ ଥାନାରେ FIR ଦାଖଲ କରିଥିଲେ। ବର୍ତ୍ତମାନ ସେ ଚିକିତ୍ସାରେ ଅଛନ୍ତି ଏବଂ ତାଙ୍କର ବୟାନ ରେକର୍ଡ୍ ହୋଇଛି।ଏହି ଘଟଣାରେ ପଶ୍ଚିମବଙ୍ଗ ପୋଲିସ୍ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତିନିଜଣଙ୍କୁ ଜେଲ ପଠାଯାଇଛି । ଦୁଇ ଜଣଙ୍କୁ ଦୁର୍ଗାପୁର ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲୁଛି। ସମସ୍ତ ଅଭିଯୁକ୍ତମାନେ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ୍ କହୁଛି।
ମମତା ବାନାର୍ଜୀ ଗତକାଲି କହିଥିଲେ, “ରାତି ୧୨:୩୦ ପରେ ଛାତ୍ରୀମାନେ ବାହାରକୁ କାହିଁକି ଯାଇଥିଲେ । ସେ ନିଜର ସୁରକ୍ଷା କଥା ଚିନ୍ତା କରିବା ଆବଶ୍ୟକ । ଏହାକୁ ନେଇ ବିଜେପି ସମେତ ବିଭିନ୍ନ ଦଳ ଓ ସଂଗଠନ ସମାଲୋଚନା କରିଛନ୍ତି। ଜାତୀୟ ମହିଳା କମିଶନର ସଦସ୍ୟା ଅର୍ଚ୍ଚନା ମଜୁମଦାର ଏହାକୁ “ଅଜବ ଯୁକ୍ତି” କହି କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଘଟଣା ରାତି ୮ଟା ଭିତରେ ଘଟିଥିଲା, ୧୨:୩୦ ନୁହେଁ। ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବୟାନ ଦେବା ଆଗରୁ ଠିକ୍ ତଦନ୍ତ କରିବା ଉଚିତ୍।” ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଘଟଣାକୁ ନିଷ୍ଠୁର କହି ମମତାଙ୍କୁ ଦ୍ରୁତ କାର୍ଯ୍ୟାନୁଷ୍ଠାନର ଆହ୍ୱାନ ଦେଇଛନ୍ତି ଏବଂ ପୀଡ଼ିତାଙ୍କ ପରିବାରଙ୍କୁ ସମର୍ଥନ ପ୍ରତିଶ୍ରୁତି ଦେଇଛନ୍ତି।

















