ବାତ୍ୟାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବାତ୍ୟା ଆସୁଥିବାରୁ ପ୍ରସ୍ତୁତି ହୋଇଛି । ଆଜି ସଚିବାଳୟରେ ଦିନ ତମାମ ଆଲୋଚନା ହେବ। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜୋନ ବିଷୟରେ ସୂଚିତ କରାଯାଇଛି। ସେହିଭଳି ସେମାନେ ପୂର୍ବ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦିଆଯାଇଛି।
କେଉଁ ଅଂଚଳରୁ ଲୋକମାନଙ୍କୁ ଅଣାଯିବ ତାହା ବିଷୟରେ ମଧ୍ୟ ଆଲୋଚନା ହେବ । ପୂର୍ବାହ୍ନରେ ଆଲୋଚନା ହୋଇଛି ଅପରାହ୍ନରେ ମଧ୍ୟ ଆଲୋଚନା ହେବ । ଅପସାରଣର ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ଅପସାରଣ କରାଯିବ। ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟ ସ୍ଥଳୀକୁ ବ୍ୟବସ୍ଥିତ କରାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ରହିବ, ଯୋଗାଣ ବିଭାଗ ମଧ୍ୟ ସାମିଲ ଅଛି। ସମ୍ଭାବ୍ୟ ବାତ୍ୟାର ସନ୍ଧ୍ୟା ସୁଦ୍ଧା ବେଗ ଏବଂ ତୀବ୍ରତା ବିଷୟରେ ସ୍ପଷ୍ଟ ହେବ। ଆଜି ସନ୍ଧ୍ୟାରେ ସବୁ ଜିଲ୍ଲାପାଳମାନଙ୍କ ସହିତ ବୈଠକ ହେବ, ଯେଉଁଥିରେ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହିବେ। ମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ସତର୍କ ରହିଥାନ୍ତୁ, ଭୟଭୀତ, ଚିନ୍ତିତ କିମ୍ବା ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। ଓଡ଼ିଶା ସରକାର ଆପଣଙ୍କ ରକ୍ଷା କବଚ। ବାତ୍ୟାର ପ୍ରକରଣ ଶେଷ ନ ହେବା ପର୍ଯ୍ୟନ୍ତ ଓଡ଼ିଶାର ପ୍ରଶାସନ ଶୋଇବ ନା କୌଣସି କାମରେ ତ୍ରୁଟି କରିବ। ୨୪ ଘଣ୍ଟା ସରକାରୀ ଅଧିକାରୀ ନିୟୋଜିତ ରହିବେ।
ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସହ ୨୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଯାଏଁ ରହିପାରେ।










			
                                
							







