ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଧାୟକଙ୍କ ଭତ୍ତା ଓ ପେନସନ୍ ବିଲ୍ ୨୦୨୫’ ପାରିତ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦକୁ ପାଇବାକୁ ଥିବା ମୋଟ ଅର୍ଥ ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଞ୍ଚିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟ ରାଜନୀତି ଓ ସାଧାରଣ ଜନତାଙ୍କ ମଧ୍ୟରେ ରାଜନେତାଙ୍କ ପ୍ରତି ଅସନ୍ତୋଷ ବଢ଼ିଛି । ଓଡ଼ିଶା ଭଳି ଗରିବ ରାଜ୍ୟରେ ଯେଉଁଠି ଲୋକେ କାମ ପାଇଁ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି । ରାଜ୍ୟର ଅର୍ଥନୀତି ଭଲ ନାହିଁ । ଋଣ ବଢ଼ି ବଢ଼ି ଚାଲିଛି । ଯୁବକମାନଙ୍କୁ ନିଯୁକ୍ତି ନାହିଁ । ସ୍କୁଲରେ ଶିକ୍ଷକ ନାହାଁନ୍ତି । ମେଡିକାଲରେ ଡାକ୍ତର ନାହାଁନ୍ତି । ସେଭଳି ପରିସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସ୍ବାଭାବିକ ।
ବିଲ୍ ପାସ୍ ହେବା ପରେ ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାର ଟଙ୍କା ହୋଇଥିବା ବେଳେ, ମୋଟ ବୃଦ୍ଧି ଅଧିକାଂଶ ଭତ୍ତା ବାବଦରେ ଘଟିଛି। ବିଧାୟକଙ୍କ ମୋଟ ଦରମା ଓ ଭତ୍ତା: ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଁଚିଛି । ବିଧାୟକମାନେ ବ୍ୟୟ ଭତ୍ତା (୯୬ ହଜାର), ଯାନବାହନ ଭତ୍ତା (୫୦ ହଜାର), ଗସ୍ତ ଖର୍ଚ୍ଚ (୭୫ ହଜାର), ଚିକିତ୍ସା ଖର୍ଚ୍ଚ (୩୫ ହଜାର) ଓ ବିଦ୍ୟୁତ ଦେୟ (୨୦ ହଜାର) ବାବଦରେ ଏହି ଅର୍ଥ ପାଇବେ। ଏହି ବର୍ଦ୍ଧିତ ରାଶି ଝାଡ଼ଖଣ୍ଡ (୨.୯୦ ଲକ୍ଷ) ଏବଂ ଉତ୍ତରପ୍ରଦେଶ (୧.୮୭ ଲକ୍ଷ) ଭଳି ବଡ଼ ରାଜ୍ୟର ବିଧାୟକଙ୍କ ତୁଳନାରେ ବହୁତ ଅଧିକ।
ବିରୋଧ ଓ ସମାଲୋଚନା
ରାଜ୍ୟର ଅର୍ଥନୀତି ଏବଂ ଦାରିଦ୍ର୍ୟ ସ୍ଥିତିକୁ ଦେଖି ଏକାଥରକେ ଏତେ ପରିମାଣରେ ଦରମା ବୃଦ୍ଧି ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯେତେବେଳେ 25 ବର୍ଷ ପରେ ସରକାର ପରିବର୍ତ୍ତନ ହେଲା, ଲୋକେ ଚାହୁଁଥିଲେ ସରକାର ଲୋକଙ୍କ ପାଇଁ କାମ କରିବେ । କିନ୍ତୁ ଏଭଳି ନିଷ୍ପତ୍ତିକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କେରଳ ବିଧାୟକଙ୍କୁ ମାତ୍ର ୭୦ ହଜାର ଟଙ୍କା ମିଳୁଛି, ସେଠାରେ ଓଡ଼ିଶାର ବିଧାୟକଙ୍କୁ ଦେଶରେ ସର୍ବାଧିକ ଅର୍ଥ ମିଳିବା ନୈତିକତା ଉପରେ ପ୍ରଶ୍ନ ଉଠାଉଛି। ବିରୋଧୀ ଦଳମାନେ ଏହାକୁ ବିରୋଧ କରିନାହାଁନ୍ତି । କାରଣ ସେମାନେ ନିଜେ ମଧ୍ୟ ବର୍ଦ୍ଧିତ ଦରମାର ଲାଭ ନେବେ। ତେବେ ଏହା ସାଧାରଣ ଜନତାଙ୍କ ମଧ୍ୟରେ ଏକ ଭୁଲ୍ ଯାଉଛି । ରାଜନୀତି ସମୀକ୍ଷକ, ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି।
ବିଧାୟକମାନେ ଲୋକସେବା ଏବଂ ନିର୍ବାଚନମଣ୍ଡଳୀର କାର୍ଯ୍ୟ ତୁଲାଇବା ପାଇଁ ଏହି ବୃଦ୍ଧି ଆବଶ୍ୟକ ବୋଲି ଯୁକ୍ତି କରୁଥିଲେ ମଧ୍ୟ, ଏତେ ପରିମାଣର ବୃଦ୍ଧି ରାଜ୍ୟ ରାଜକୋଷ ଉପରେ ଚାପ ପକାଇବ ନିଶ୍ଚିତ ।



















