ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ହାଡ଼ଭଙ୍ଗା ଜାଡ଼ରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଭାରତୀୟ ପାଣିପାଗ ବିଭାଗ ତାର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି। ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର 13 ତାରିଖରୁ 18 ତାରିଖ ଯାଏ ରାଜ୍ୟରେ ଶୀତ ଲହରୀର ସମ୍ଭାବନା ଅଧିକ ରହିଛି। ଅନେକ ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଏହାପରେ, ୧୯ ତାରିଖରୁ ୨୫ ତାରିଖ ଯାଏ ମଧ୍ୟ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି ବହିବାର ଆଶଙ୍କା ରହିଛି। ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆଗକୁ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିବ। ଆଇଏମ୍ଡି ସୂଚନା ଅନୁଯାୟୀ, ଆଜି ଶନିବାର ରେ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରି ବହିପାରେ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଭଳି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ଲହରିର ପ୍ରଭାବ ଅଧିକ ରହିବ। ଏହି ସମୟରେ ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇପାରେ। ରାଜ୍ୟର ପାରଦ ସ୍ତର ଲଗାତାର ନିମ୍ନଗାମୀ ହେବାରେ ଲାଗିଛି, ଯାହା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପାହାଡିଆ ଅଞ୍ଚଳରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିପାରେ।



















