ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ଅନେକ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ଆଜି ଅପରାହ୍ନ ସମୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି।
କଟକ , ଭୁବନେଶ୍ବରରେ ଆକାଶ ମୁଖ୍ୟତଃ ମେଘୁଆ ରହିବ। ତାପମାତ୍ରା 28 ରୁ 30 ଡିଗ୍ରୀ ସେଲସିୟସ ରହିବ । ଦକ୍ଷିଣ ଓଡ଼ିଶାର ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ଶୁଖିଲା ଓ ଆଂଶିକ ମେଘୁଆ ପାଗ ରହିପାରେ ।
ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାବାସୀଙ୍କୁ ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନ, ଗଛ ମୂଳ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ନ ରହି ନିରାପଦ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।










 
			
 
                                 
 
							







