ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?
ବୋମା ମାଡ଼ରେ ଶତାଧିକ ମୃତ
ଗାଜା ଷ୍ଟ୍ରିପ୍ରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି (Ceasefire) ଅକ୍ଟୋବର ୨୯ ତାରିଖରେ ଭଙ୍ଗ ହେବା ପରେ ପୁଣି ଥରେ ହିଂସା ବଢ଼ିଯାଇଛି। ମିଳିଥିବା ଖବର ଅନୁଯାୟୀ, ଗତକାଲି (ମଙ୍ଗଳବାର) ରାତିରେ ଇସ୍ରାଏଲ ସେନା ପକ୍ଷରୁ ଗାଜାର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍ କରାଯାଇଛି।
ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଏହି ନୂତନ ଆକ୍ରମଣରେ ୧୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ୪୦ରୁ ଅଧିକ ଶିଶୁ ଥିବା ଜଣାପଡ଼ିଛି। ଇସ୍ରାଏଲର ଏହି ବୋମାମାଡ଼ ପ୍ରାୟତଃ ଆବାସିକ କୋଠା, ଶିବିର ଏବଂ ବିସ୍ଥାପିତ ଲୋକଙ୍କ ଆଶ୍ରୟସ୍ଥଳୀକୁ ଲକ୍ଷ୍ୟ କରି କରାଯାଇଥିବା ଅଭିଯୋଗ ହୋଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଜଣେ ଇସ୍ରାଏଲୀ ସୈନିକଙ୍କୁ ହତ୍ୟା କରାଯିବା ଏବଂ ପଣବନ୍ଦୀଙ୍କ ମୃତଦେହ ଫେରସ୍ତ ଦେବାରେ ହମାସର ଉଲ୍ଲଙ୍ଘନ ଯୋଗୁଁ ଏହି ପ୍ରତିଆକ୍ରମଣ କରାଯାଇଛି। ତେବେ ହମାସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଇସ୍ରାଏଲ ଉପରେ ଯୁଦ୍ଧବିରତି ଭଙ୍ଗ କରିବାର ଅଭିଯୋଗ ଆଣିଛି।
ଆଜି, ଅକ୍ଟୋବର ୩୦ରେ ଇସ୍ରାଏଲ ସେନା ପୁନର୍ବାର ଯୁଦ୍ଧବିରତି ଲାଗୁ ହୋଇଥିବା ଘୋଷଣା କରିଛି। ତଥାପି ଏହି ଅସ୍ଥାୟୀ ଶାନ୍ତି କେତେ ସମୟ ପର୍ଯ୍ୟନ୍ତ ରହିବ, ତାହାକୁ ନେଇ ଆଶଙ୍କା ଲାଗି ରହିଛି। ଏହି ସଂଘର୍ଷ ଯୋଗୁଁ ଗାଜାରେ ମାନବୀୟ ସଙ୍କଟ ଅତ୍ୟନ୍ତ ଭୟାବହ ରୂପ ନେଇଛି। ଖାଦ୍ୟ, ପାନୀୟ ଏବଂ ଚିକିତ୍ସା ସେବାର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସଂଘର୍ଷ କରୁଛନ୍ତି।
ଅସ୍ତ୍ରବିରତି ଚାଲିଥିବା ସମୟରେ ମଧ୍ୟ ଇସ୍ରାଏଲ୍ ପକ୍ଷରୁ ଗାଜା ଉପରେ ପୁଣି ଥରେ ବଡ଼ ଧରଣର ଆକ୍ରମଣ ହୋଇଛି । ଅସ୍ତ୍ରବିରତିର ଉଲ୍ଲଂଘନ ଅଭିଯୋଗ କରିଛି ଇସ୍ରାଏଲ୍ । ହାମାସ୍ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ କରି ଇସ୍ରାଏଲୀୟ ସୈନିକଙ୍କ ଉପରେ ଆକ୍ରମଣ କରିଛି ଏବଂ ବନ୍ଧକମାନଙ୍କର ମୃତଦେହ ଫେରାଇବାରେ ଅସହଯୋଗ କରିବାରୁ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି । ଇସ୍ରାଏଲ୍ ସେନା କହିଛି ଯେ ସେମାନେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିନାହାଁନ୍ତି । ହାମାସ୍ର ଆତଙ୍କବାଦୀ ଲକ୍ଷ୍ୟସ୍ଥଳୀ ଏବଂ ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରିଛନ୍ତି।


















