ନୂଆଦିଲ୍ଲୀ : ‘ଏସଆଇଆର’ ଏବଂ ନିର୍ବାଚନରେ ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ସଂସଦର ଉଭୟ ଗୃହରେ ଲଗାତାର ଦ୍ୱିତୀୟ ଦିନ ପାଇଁ ତୀବ୍ର ହଙ୍ଗାମା ହୋଇଛି। ବିରୋଧୀ ଦଳମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରିବାକୁ ଜିଦ୍ ଧରିଛନ୍ତି । ସରକାର ବନ୍ଦେ ମାତରମ ପ୍ରଥମେ ଆଲୋଚନା କରିବାକୁ ଚାହୁଁଛନ୍ତି । ପରେ ଏସଆଇଆର ଉପରେ ଆଲୋଚନା କରିବାକୁ ରାଜି ଅଛନ୍ତି । କିନ୍ତୁ ବିରୋଧୀମାନଙ୍କ ହଟ୍ଟଗୋଳ ପାଇଁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି।
ଲୋକସଭାରେ ନାରାବାଜି: ଲୋକସଭାରେ କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବିରୋଧୀ ସାଂସଦମାନେ ହୋହାଲ୍ଲା କରିଥିଲେ । ଗୃହକୁ ବାରମ୍ବାର ମୁଲତବୀ ବାଚସ୍ପତି ରଖିଥିଲେ । “ଭୋଟ୍ ଚୋର- ଗାଦି ଛାଡ଼” ନାରା ଦେଇଥିଲେ। ‘SIR’ ଉପରେ ଚର୍ଚ୍ଚା ଦାବିରେ ସେମାନେ ଅଡ଼ି ବସିବାରୁ କାର୍ଯ୍ୟ ନହେବାରୁ ଦୁଇଥର ଗୃହକୁ ମୁଲତବୀ (ସ୍ଥଗିତ) ରଖାଯାଇଥିଲା।
ରାଜ୍ୟସଭାରେ ଖଡ଼ଗେଙ୍କ ଦାବି: ରାଜ୍ୟସଭାରେ ମଧ୍ୟ ସକାଳୁ ହଙ୍ଗାମା ଆରମ୍ଭ ହୋଇଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ତୁରନ୍ତ ‘SIR’ ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ, “୧୨-୧୩ ଜଣଙ୍କ ଜୀବନ ଯାଇସାରିଲାଣି। ଏହା ଏକ ଜରୁରୀ ପ୍ରସଙ୍ଗ । ଏହା ଉପରେ ଆଲୋଚନା କରାଯାଉ ।
ସରକାରଙ୍କ ପ୍ରତିକ୍ରିୟା
ବିରୋଧୀଙ୍କ ଦାବିର ଜବାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଥିଲେ ଯେ, “ଆପଣମାନେ କୌଣସି ସମୟସୀମା ସ୍ଥିର କରନ୍ତୁ ନାହିଁ। ଆମେ ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରୁଛୁ। ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ।”
ବିରୋଧୀଙ୍କ ସର୍ତ୍ତ
ସଂସଦର ପ୍ରଥମ ଦିନ ମଧ୍ୟ ହଙ୍ଗାମା ହୋଇଥିଲା । ସରକାର ‘SIR’ ଓ ନିର୍ବାଚନ ସୁଧାର ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ରିଜିଜୁ ଘୋଷଣା କରିଥିଲେ । ତେବେ କେବେ ଆଲୋଚନା ହେବ ସେ ନେଇ ସମୟସୀମା ନ ଲଦିବାକୁ ଅନୁରୋଧ କରିଥିଲେ।
ବିରୋଧୀଙ୍କ ବିକଳ୍ପ: ବିରୋଧୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ସରକାର ‘SIR’ ଶବ୍ଦ ଉପରେ ଆପତ୍ତି କରୁଛନ୍ତି, ତେବେ ଏହା ବଦଳରେ ‘ଇଲେକ୍ଟୋରାଲ ରିଫର୍ମ’ କିମ୍ବା ଅନ୍ୟ କୌଣସି ନାମ ବ୍ୟବହାର କରି ବିଷୟବସ୍ତୁକୁ କାର୍ଯ୍ୟସୂଚୀରେ ସ୍ଥାନ ଦେଇ ପାରିବେ। ସରକାର ବିରୋଧୀଙ୍କ ଏହି ତର୍କରେ ରାଜି ହୋଇପାରନ୍ତି ଏବଂ ବ୍ୟବସାୟ ପରାମର୍ଶଦାତା କମିଟି ରେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖିବେ ବୋଲି ଆଶା କରାଯାଉଛି। ବିରୋଧୀ ଦଳମାନେ ଚର୍ଚ୍ଚାରେ ଅଡ଼ି ବସିଥିବାରୁ ଆଗାମୀ ଦିନରେ ସଂସଦର କାର୍ଯ୍ୟଧାରା କିପରି ଚାଲୁଛି, ତାହା ଦେଖିବାକୁ ବାକି ରହିଲା।


















