ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାତ୍ୟା ପରେ ସମୀକ୍ଷା କରାଯାଉଛି । ଖୁବ ଶୀଘ୍ର କ୍ଷତିର ଆକଳନ କରାଯିବ । ଆସନ୍ତାକାଲି ଠାରୁ ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ଶସ୍ୟର ଠିକ୍ ଆକଳନ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ପାଇଛନ୍ତି । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଆଣି କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ମନ୍ତ୍ରୀ କହିଛନ୍ତି, ବହୁ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି ଏବଂ ପ୍ରଭାବିତ ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ଆକଳନ ପରେ ଘର କ୍ଷତି ପାଇଁ କ୍ଷତିପୂରଣ ଦିଆଯିବ। ଆକଳନ ବେଳେ ଅଧିକାରୀମାନେ ବ୍ୟାଙ୍କ ଖାତା ଓ ଆକାଉଣ୍ଟ ନମ୍ବର ମାଗିବେ ଏବଂ କ୍ଷତିପୂରଣ ଅନଲାଇନ ମାଧ୍ୟମରେ ତୁରନ୍ତ ବଣ୍ଟନ କରାଯିବ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡ଼ିବ। ଆସନ୍ତାକାଲି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୫୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି। ରାଜ୍ୟରେ ୩୩ଟି ବ୍ଲକ ଓ ୧୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି।
ବାତ୍ୟା ମୁକାବିଲା ପାଇଁ ୧୬୧ଟି ଟିମ୍ ନିୟୋଜିତ ଥିଲେ। ୨୧୬୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିମଧ୍ୟରୁ ୨୧୮୯ ଜଣ ଗର୍ଭବତୀ ମହିଳାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ ସେବାରେ ବ୍ୟାଘାତ ଆସିଥିବା ବେଳେ ଏବେ ସମସ୍ତ ସଂଯୋଗ ପୁନଃସ୍ଥାପିତ ହୋଇସାରିଛି। ଗଛ କାଟି ରାସ୍ତା ସଫା କରାଯାଇଛି। ବର୍ତ୍ତମାନ ୩୬୨ଟି ସ୍ଥାନରେ ୧୮,୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କ ପୁନର୍ବାସନ ଓ ସହାୟତା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।



















