ଦୂର ହେବ ଆଳୁ ସମସ୍ୟା । ସରକାର କମ ଦାମରେ ଆଳୁ ବିକିବେ । ଆଳୁ ସମସ୍ୟା ସମାଧାନ ପାଇଁ ସରକାର ନୂଆ ବାଟ ବାହାର କରିଛନ୍ତି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଆଉ କମ ଦାମରେ ଲୋକଙ୍କୁ ବିକିବେ । ସେଥିପାଇଁ ଅର୍ଡର ଦିଆଯାଇଛି। ଦିନେ ବା ଦୁଇ ଦିନ ଭିତରେ ଓଡ଼ିଶାରେ ଆଳୁ ପହଞ୍ଚିବ। ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା କିଲୋ ପିଛା ୩୦ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ସହରରେ କିଲୋ ପିଛା ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ଲୋକମାନଙ୍କ ସୁବିଧା ପାଇଁ ଏପରି ସରକାର ନିଷ୍ପତ୍ତି ନେଇଛନ୍ତି ।
ଗତ କିଛିଦିନ ଧରି ଆଳୁ ସମସ୍ୟା ସମାଧାନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଚିଠି ଲେଖିଥିଲେ। କିନ୍ତୁ ଆଳୁ ଆସିଲା ନାହିଁ । ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ପାଇଁ ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଅର୍ଡର ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଆଳୁ ପହଞ୍ଚିବ। ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଶାରୁ ବା ଓଡ଼ିଶା ଦେଇ ଯେଉଁ ସବୁ ସାମଗ୍ରୀ ପଶ୍ଚିମବଙ୍ଗ ଯାଉଛି, ସେଥିପ୍ରତି ରାଜ୍ୟ ସରକାର କିଛି ପଦକ୍ଷେପ ନେବେ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ସେମିତି କିଛି ପରିସ୍ଥିତି ନଉପୁଜୁ ବୋଲି ଆମେ ଚାହୁଁଛୁ। କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ହେଉ ବୋଲି ଚାହୁଁଛୁ। କାରଣ ପଶ୍ଚିମବଙ୍ଗ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟ। ଆମ ସହିତ ତାଙ୍କର ସମ୍ପର୍କ ଭଲ ରହୁ। ଯେମିତି ଆଳୁ ଆସୁଥିଲା, ସେମିତି ଆସୁ।


















