ମହିଳା ଷ୍ଟାର ବ୍ୟାଟସମ୍ୟାନ୍ ସ୍ମୃତିଙ୍କ ସହ ଚଳଚ୍ଚିତ୍ର ନିର୍ମାତା ତଥା ସଂଗୀତକାର ପଳାଶ ମୁଛଲଙ୍କ ବିବାହ ବର୍ତ୍ତମାନ ବିବାଦର ରୂପ ନେଇଛି। ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ହେବାକୁ ଥିବା ଏହି ବିବାହ କାର୍ଯ୍ୟକ୍ରମ ପରିବାର ପକ୍ଷରୁ ସ୍ଥଗିତ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ନୂଆ ଖବର ପ୍ରକାଶ ପାଇଛି। ପ୍ରଥମେ ଜଣାପଡ଼ିଥିଲା ଯେ ବିବାହ ସ୍ଥଗିତ ରହିବାର ମୁଖ୍ୟ କାରଣ ହେଉଛି ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟାବସ୍ଥା। ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ଶ୍ରୀନିବାସ ମନ୍ଧାନାଙ୍କ ଶରୀରରେ ହୃଦଘାତର ଲକ୍ଷଣ ଦେଖାଦେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ପରେ ପଳାଶଙ୍କ ଦେହ ମଧ୍ୟ ଖରାପ ହେବାରୁ ତାଙ୍କୁ ମଧ୍ୟ ମେଡିକାଲ୍ ନିଆଯାଇଥିଲା। ଏହି କାରଣରୁ ବିବାହ ସ୍ଥଗିତ ରହିଥିଲା। ବିବାହ ବାତିଲ ହେବାର ଘୋଷଣା ପରେ ସୋସିଆଲ୍ ମିଡିଆରେ ଏକ ନୂତନ ବିବାଦ ଦେଖାଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପଳାଶ ମୁଛଲଙ୍କ ବିରୋଧରେ ଜଣେ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗ ରହିଛି । ମଙ୍ଗଳବାର ଦିନ ଇଣ୍ଟରନେଟରେ ଜଣେ ଯୁବତୀ ଏବଂ ପଳାଶଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ଚାଟ୍ର ସ୍କ୍ରିନସଟ୍ ଘୁରି ବୁଲିଛି। ଏହି ସ୍କ୍ରିନସଟ୍ଗୁଡ଼ିକୁ ପ୍ରଥମେ ମ୍ୟାରୀ ଡି’କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ସେୟାର କରିଥିଲେ ଏବଂ ପରେ ଏହା ରେଡିଟ୍ରେ ଭାଇରାଲ୍ ହୋଇଥିଲା। ଯଦିଓ ଏହି ପୋଷ୍ଟ କରିଥିବା ଆକାଉଣ୍ଟ୍ ଏବେ ନିଷ୍କ୍ରିୟ ହୋଇଯାଇଛି। ଏହି ସ୍କ୍ରିନସଟ୍ଗୁଡ଼ିକ ଭାଇରାଲ୍ ହେବା ପରେ ଏବେ ଉଭୟଙ୍କ ବିବାହ ସ୍ଥଗିତ ରହିବା ପଛର ଅସଲି କାରଣ କ’ଣ, ତାହା ନେଇ ସ୍ମୃତି ମନ୍ଧାନାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଓ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣା ବର୍ତ୍ତମାନ ଏକ ଗୁରୁତର ମୋଡ଼ ନେବାର ସମ୍ଭାବନା ରହିଛି।

















