ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କରିବେ ନାମାଙ୍କନ ପତ୍ର ଦାଖଲ । ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିବେ । ଆଜି ନାମାଙ୍କନପତ୍ର ଦାଖଲର ରହିଛି ଶେଷ ଦିନ । ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ । ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।
ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରୁଥିବାବେଳେ ଗତ ଶନିବାର ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।
ଗତକାଲି ନୂଆପଡ଼ାର ଶିବମନ୍ଦିର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେଡି ଦ୍ୱାରା ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଉପସ୍ଥିତ ଜନସାଧାରଣ ଶ୍ରୀମତୀ ଛୁରିଆଙ୍କୁ ଫୁଲମାଳା ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ । ଲୋକେ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଅମର ସେବାକୁ ସ୍ମରଣ କରି ବିଜେଡିର ସଫଳତାକୁ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଦୃଷ୍ଟିଭଙ୍ଗୀର ପରିଣାମ ବୋଲି କହିଥିଲେ । ନୂଆପଡ଼ାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ସଡ଼କ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକମାନେ ବିଜେଡି ଶାସନ ମଧ୍ୟରେ ଅଦ୍ୱିତୀୟ ବୋଲି ବ୍ୟାଖ୍ୟା କରିଛନ୍ତି । ଏହି ପଦଯାତ୍ରାରେ ୧୫,୦୦୦ରୁ ଅଧିକ ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଜେଡିର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଏଥିରେ ଉପସ୍ଥିତ ରାଜ୍ୟ ଓ ସ୍ଥାନୀୟ ନେତାମାନେ ସମ୍ୱୋଧନ କରି ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ । ‘ଡବଲ୍ ଇଞ୍ଜିନ ଡବଲ ବିକାଶ ନୁହେଁ, ଡବଲ ବିନାଶ ହେଉଛି’ ବୋଲି ଅଭିଯୋଗ କରିଥିଲେ । ବିଜେଡି ନୂଆପଡ଼ା ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅବନୀ ରଞ୍ଜନ ଯୋଶୀ, ବିଜେଡି ସାଧାରଣ ସଚିବ ଶ୍ରୀ ମନୋଜ ମିଶ୍ର, ବିଜେଡି ବରିଷ୍ଠ ନେତା ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ ଇତ୍ୟାଦି ବକ୍ତବ୍ୟ ରଖିଥିଲେ । ଏହି ନେତାମାନେ ତାଙ୍କ ବକ୍ତବ୍ୟରେ, ଗତ ୧୬ ମାସର ବିଜେପି ଶାସନରେ ନୂଆପଡ଼ା ପ୍ରତି ହୋଇଥିବା ଅବହେଳା ବିଷୟରେ ଉଲ୍ଲେଖ କରିଥିଲେ ।
ନୂଆପଡ଼ାରେ ଏବେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ଅରୁଣ ସାହୁ, ନିରଞ୍ଜନ ପୁଜାରୀ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ପ୍ରୀତିରଞ୍ଜନ ଘଡ଼େଇ, ସାରଦା ନାୟକ, ଚିନ୍ମୟ ସାହୁ, ଇପସୀତା ସାହୁ, ଦେବୀରଞ୍ଜନ ତ୍ରିପାଠୀ, ପ୍ରଦୀପ ଦିଶାରୀ, ନଳିନୀକାନ୍ତ ପ୍ରଧାନ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଲେଖାଶ୍ରୀ ସାମନ୍ତସିଂହାର, ଅଧିରାଜ ପାଣିଗ୍ରାହୀ, ରବି ନନ୍ଦ, ସୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ବିଜୟ ନାୟକ, ପ୍ରଦୀପ ମାଝୀ ପ୍ରମୁଖ ରହିଛନ୍ତି । ଏହି ସବୁ ବରିଷ୍ଠ ନେତାମାନେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ନୂଆପଡ଼ାର ଲୋକମାନେ ବିଜେଡି ସହ ଅତୁଟ ଭାବେ ଅଛନ୍ତି ଓ ନୂଆପଡାବାସୀଙ୍କ ଆଶୀର୍ବାଦରେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ନେତାମାନେ ପ୍ରକାଶ କରିଛନ୍ତି