ନୂଆଦିଲ୍ଲୀ, ୧୩/୦୧: ଦେଶରେ ବୁଲା କୁକୁରଙ୍କ ଆତଙ୍କ ଏବଂ କୁକୁର କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ମଙ୍ଗଳବାର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୁକୁର କାମୁଡ଼ା ଏବଂ ମୃତ୍ୟୁର ପ୍ରତ୍ୟେକ ଘଟଣା ପାଇଁ ଏବେ ରାଜ୍ୟଗୁଡ଼ିକ ଉପରେ ଭାରୀ କ୍ଷତିପୂରଣ ଲାଗୁ କରାଯାଇପାରେ। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, “କୁକୁର କାମୁଡ଼ାର ପ୍ରଭାବ ମଣିଷ ଉପରେ ଜୀବନବ୍ୟାପୀ ରହିଥାଏ। ତେଣୁ ଯେଉଁମାନେ ବୁଲା କୁକୁରଙ୍କୁ ଖାଦ୍ୟ ଦିଅନ୍ତି , କୁକୁର କାହାରିକୁ ଆକ୍ରମଣ କଲେ ସେମାନଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ୍।” ଆବଶ୍ୟକ ବ୍ୟବସ୍ଥା କରିବାରେ ବିଫଳ ରାଜ୍ୟ ସରକାରଙ୍କ ଉପରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହସ୍ପିଟାଲ, ରେଳ ଷ୍ଟେଶନ, ବସ ଡିପୋ ଏବଂ ଶିକ୍ଷାନୁଷ୍ଠାନ ଭଳି ସ୍ଥାନଗୁଡ଼ିକୁ କୁକୁର ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଏହି ସ୍ଥାନଗୁଡ଼ିକୁ କୁକୁର ମୁକ୍ତ ରଖିବା ପ୍ରଶାସନର ଦାୟିତ୍ୱ। ଶୁଣାଣି ସମୟରେ ଜଷ୍ଟିସ ମେହେଟ୍ଟା ଗୁଜରାଟ ହାଇକୋର୍ଟର ଏକ ଉଦାହରଣ ଦେଇ ପରିସ୍ଥିତି କେତେ ଭୟଙ୍କର ତାହା ଦର୍ଶାଇଥିଲେ। ସେ କହିଥିଲେ ଯେ, ଏବେ କୋର୍ଟ ରୁମ ମଧ୍ୟ ସୁରକ୍ଷିତ ନୁହେଁ, ସେଠାରେ ମଧ୍ୟ କୁକୁର ଆକ୍ରମଣ ଘଟୁଛି। ଦୁଃଖର କଥା ଯେତେବେଳେ ପୌର କର୍ମଚାରୀମାନେ କୁକୁରଙ୍କୁ ଧରିବାକୁ ଯାଉଛନ୍ତି, କିଛି କୁକୁର ପ୍ରେମୀ ଏବଂ ଓକିଲମାନେ ସେମାନଙ୍କୁ ଆକ୍ରମଣ କରି ବାଧା ସୃଷ୍ଟି କରୁଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏବେ ରାଜ୍ୟ ସରକାର ଏବଂ ପୌର ପ୍ରଶାସନ ଉପରେ ଚାପ ବଢ଼ିଛି।















