ଭୁବନେଶ୍ୱର : ରାଜଧାନୀର ବ୍ୟସ୍ତବହୁଳ ରୂପାଲି ଛକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗତିରେ ଆସୁଥିବା ‘ଆମ ବସ୍’ ଏକ ଅଟୋରିକ୍ସାକୁ ପଛପଟୁ ପ୍ରଚଣ୍ଡ ଧକ୍କା ଦେବା ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସମ୍ପୃକ୍ତ ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତକାଲି ରୂପାଲି ଛକ ନିକଟରେ ଏକ ଅଟୋରିକ୍ସା ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ସମୟରେ ପଛପଟୁ ଆସୁଥିବା ଆମ ବସ୍ଟି ନିୟନ୍ତ୍ରଣ ହରାଇ ଏହାକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଅଟୋଟି ସମ୍ପୂର୍ଣ୍ଣ ରୂପେ । ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତି ଗୁରୁତର ହୋଇ ପ୍ରାଣ ହରାଇଥିଲେ।ଅଟୋଟି ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା। ରୂପାଲି ଛକରେ ରେଡ୍ ସିଗନାଲ୍ ଥିବାରୁ ଏକ ସ୍କୁଲ୍ ବସ୍ ପଛରେ ଅଟୋଟି ଅଟକି ରହିଥିଲା। ଠିକ୍ ଏହି ସମୟରେ ପଛପଟୁ କାଳ ରୂପରେ ମାଡ଼ି ଆସିଥିଲା ‘ଆମ ବସ୍’। ବସ୍ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଅଟୋଟି ସ୍କୁଲ୍ ବସ୍ ଏବଂ ଆମ ବସ୍ ମଝିରେ ଚାପି ହୋଇ ରହିଯାଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅଟୋ ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଆମ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ବସ୍କୁ ଭଙ୍ଗାରୁଜା କରିଥିଲେ। ଏହି କାରଣରୁ ବ୍ୟସ୍ତବହୁଳ ଜନପଥ ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବେହାଲ୍ ହୋଇପଡ଼ିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଖବର ପାଇ ସହିଦ ନଗର ଥାନା ପୋଲିସ ଓ ପରେ ସ୍ୱୟଂ ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଡିସିପି ଲୋକଙ୍କୁ ବୁଝାସୁଝା କରିବା ସହ ଦୋଷୀ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।


















