ମୃତ୍ୟୁ ପୂର୍ବରୁ ମସ୍ତିର ମାହୋଲ । ମେହବୁବା ମେହବୁବା, ଗୀତର ତାଳେ ତାଳେ ଝୁମି ଉଠୁଥିଲେ ଦର୍ଶକ । ଆଉ ସେତେବେଳେ ଏହି ଅଗ୍ନିକାଣ୍ଡ ଘଟିଲା, କ୍ଲବ୍ ଭିତରେ ପ୍ରାୟ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ । କେହି କିଛି ବୁଝିବା ପୂର୍ବରୁ ହୁତ ହୁତ ହୋଇ ଜଳିଥିଲା ନିଆଁ । ‘ବଲିଉଡ୍ ବ୍ୟାଙ୍ଗର୍ ନାଇଟ୍’ ଚାଲିଥିଲା। ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଡିଜେରେ ଲୋକପ୍ରିୟ ଗୀତ ‘ମେହବୁବା ଓ ମେହବୁବା’ ବାଜୁଥିଲା। ଏହି ସମୟରେ ହଠାତ୍ ମଂଚ ଉପର ପରଦାରେ ନିଆଁର ଝାସ ଦେଖାଗଲା। ଆଉ ତାହାପରେ ଭୟଙ୍କର ନିଆଁରେ ପୋଡ଼ି ହୋଇ ଅନେକ ଜୀବନ ହାରିଲେ ।
ଏପରି ଅଘଟଣ ଉତ୍ତର ଗୋଆର ଅରପୋରାଠାରେ ଥିବା ପ୍ରସିଦ୍ଧ ନାଇଟ୍ କ୍ଲବ୍ ବର୍ଚ୍ ବାଏ ରୋମିଓ ଲେନରେ ଶନିବାର ବିଳମ୍ବିତ ରାତିରେ ଘଟିଥିଲା । ଏହି ଭୀଷଣ ଅଗ୍ନିକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ଅତିକମ୍ରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଦଶରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣ କ୍ଲବ୍ କର୍ମଚାରୀ ଓ ୪ ଜଣ ପର୍ଯ୍ୟଟକ ଅଛନ୍ତି।
ପ୍ରାରମ୍ଭରେ କିଛି ଲୋକ ନିଆଁକୁ ପରିବେଷଣର ଏକ ଅଂଶ ବୋଲି ଭାବିଥିଲେ। କିନ୍ତୁ ନିଆଁର ଲମ୍ବ ଖୁବ୍ ଶୀଘ୍ର ଛାତ ଆଡ଼କୁ ମାଡ଼ି ଯାଇଥିଲା । ଅଧିକାରୀଙ୍କ କହିବାନୁଯାୟୀ, ଅଧିକାଂଶ ମୃତ୍ୟୁ ଧୂଆଁରେ ଶ୍ୱାସରୁଦ୍ଧ (Suffocation) ହେତୁ ଘଟିଛି, କାରଣ କେବଳ ଗୋଟିଏ ସଂକୀର୍ଣ୍ଣ ପ୍ରସ୍ଥାନ ପଥ ଥିଲା।
କ୍ଲବ୍ ପାଖରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ‘ନୋ ଅବ୍ଜେକସନ ସାର୍ଟିଫିକେଟ୍’ (NOC) ନଥିଲା। ସ୍ଥାନୀୟ ପଞ୍ଚାୟତ ଏହା ଅବୈଧ ଭାବେ ନିର୍ମିତ ହୋଇଥିବା ସ୍ପଷ୍ଟ କରିଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମାଜିଷ୍ଟ୍ରିଆଲ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ୍ କ୍ଲବ୍ ମ୍ୟାନେଜରଙ୍କୁ ଗିରଫ କରିଛି ଏବଂ ମାଲିକଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।















