ଗତକାଲି ଆସାମରେ ଦ୍ରୁତଗାମୀ ରାଜଧାନୀ ଏକ୍ସପ୍ରେସ୍ର ଧକ୍କାରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ବନ୍ୟପ୍ରାଣୀ ସଂରକ୍ଷଣ ବ୍ୟବସ୍ଥାରେ ଥିବା ବଡ଼ ଧରଣର ଛିଦ୍ରକୁ ପଦାରେ ପକାଇ ଦେଇଛି। ଏହି ବିଭୀଷିକା କେବଳ ଆସାମରେ ସୀମିତ ନୁହେଁ, ବରଂ ଓଡ଼ିଶାରେ ମଧ୍ୟ ଗଜରାଜଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆସାମରୁ ଓଡ଼ିଶା—ଚିତ୍ର ସବୁଠି ପ୍ରାୟ ସମାନ। ଆମ ଓଡ଼ିଶାରେ ମଧ୍ୟ ଗୋଟିଏ ପରେ ଗୋଟିଏ ହାତୀ ଟ୍ରେନ୍ ଚକା ତଳେ ଚାପି ହୋଇ ଆଖି ବୁଜୁଛନ୍ତି। ରେଳ ବିଭାଗ ଓ ବନ ବିଭାଗ ମଧ୍ୟରେ ଫାଇଲ୍ ଚାଲେ, ଚିଠି ଲେଖାଲେଖି ହୁଏ, କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ବଦଳେନି। ‘ଏଲିଫ୍ୟାଣ୍ଟ କରିଡର’ରେ ଟ୍ରେନ୍ର ବେଗ କମ୍ କରିବାକୁ ନିୟମ ଅଛି, କିନ୍ତୁ କାହିଁକି ଏହି ନିୟମକୁ ବେଖାତିର କରାଯାଉଛି? କାହିଁକି ଦ୍ରୁତ ଗତିରେ ଟ୍ରେନ୍ ଦୌଡ଼ାଉଛନ୍ତି ଲୋକୋ ପାଇଲଟ୍?
କାଗଜ କଲମରେ ଗଜ-ସୁରକ୍ଷା ଆପ୍ ଅଛି, ସେନ୍ସର ବ୍ୟବସ୍ଥା ବି ଅଛି। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ଏତେ ସବୁ ଅଛି, ତେବେ ହାତୀ ଧାରଣା ଉପରକୁ ଆସିବା ବେଳକୁ ବ୍ୟବସ୍ଥା ଶୋଇଯାଉଛି କାହିଁକି? ଯଦି ଠିକ୍ ସମୟରେ ଟ୍ରାକ୍-ଟ୍ରାକିଂ ହୋଇଥାନ୍ତା, ତେବେ ହୁଏତ ସେହି ୭ ମୂକ ପଶୁଙ୍କ ଜୀବନ ବଞ୍ଚିପାରିଥାନ୍ତା।




















