ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଜିତିଛି। ଓଭାଲରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୫ ୱିକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୬ ୱିକେଟରେ ୧୮୬ ରନ୍ କରିଥିଲା । ଭାରତୀୟ ଦଳ ପାଇଁ, ୱାଶିଂଟନ୍ ସୁନ୍ଦର ଷଷ୍ଠ ନମ୍ବରରେ ଆସି ଅପରାଜିତ ୪୯ ରନ୍ କରିଥିଲେ। ସେ ୨୩ ବଲ୍ ରେ ୩ ଚୌକା ଏବଂ ୪ ଛକା ମାରିଥିଲେ। ସଞ୍ଜୁ ସାମସନଙ୍କ ସ୍ଥାନରେ ଖେଳୁଥିବା ଜିତେଶ ଶର୍ମା ୧୩ ବଲ୍ ସାମ୍ନା କରି ୨୨ ରନ୍ ଯୋଗଦାନ ଦେଇଥିଲେ। ସୁନ୍ଦର ଏବଂ ଜିତେଶ ୨୫ ବଲ୍ ରେ ୪୩ ରନ୍ ର ଅପରାଜିତ ଭାଗୀଦାରି କରିଥିଲେ।
ୱାସିଂଟନ ସୁନ୍ଦରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ନେଇଛି । ଏହି ସିରିଜକୁ ଏବେ ୧-୧ରେ ବରାବର ସ୍ତରକୁ ଆଣିବାରେ ସଫଳ ହୋଇଛି।ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଭାରତ ସମ୍ମୁଖରେ ୧୮୭ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା।ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଟିମ୍ ଡେଭିଡ୍ (୭୪ ରନ୍) ଏବଂ ମାର୍କସ ଷ୍ଟୋଇନିସ୍ (୬୪ ରନ୍) ଦମଦାର ବ୍ୟାଟିଂ କରିଥିଲେ। ମାଥ୍ୟୁ ସର୍ଟ ମଧ୍ୟ ୨୬ ରନ୍ର ଯୋଗଦାନ ଦେଇଥିଲେ।
ଭାରତ ପକ୍ଷରୁ ଦ୍ରୁତ ବୋଲର ଅର୍ଶଦୀପ ସିଂ ୩ଟି ଓ ସ୍ପିନର ବରୁଣ ଚକ୍ରବର୍ତ୍ତି ୨ଟି ୱିକେଟ ନେଇଥିବାବେଳେ ଶିବମ୍ ଦୁବେଙ୍କୁ ଗୋଟିଏ ସଫଳତା ମିଳିଥିଲା। ଜବାବରେ ଭାରତୀୟ ଦଳ ମାତ୍ର ୧୮.୩ ଓଭରରେ ୫ ୱିକେଟ ହରାଇ ଏହି ବଡ଼ ଲକ୍ଷ୍ୟ ହାସଲ କରିନେଇଥିଲା। ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ୱାସିଂଟନ ସୁନ୍ଦର ୪୯ ରନ୍ର ଏକ ବିସ୍ଫୋରକ ପାଳି ଖେଳି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପାଳିରେ ୪ଟି ଛକା ଓ ୩ଟି ଚୌକା ସାମିଲ ଥିଲା। ଅଭିଷେକ ଶର୍ମା ୨୫ ରନ୍ ଏବଂ ଶୁବମନ ଗିଲ୍ ୧୫ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୪ ରନ୍ ଓ ତିଳକ ବର୍ମା ୨୯ ରନ୍ କରିଥିଲେ।




















