ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୭ ତାରିଖରେ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ତେବେ ଏହା କେତେ ଭୟଙ୍କର ହେବ, ଗତିପଥ କେଉଁଆଡ଼େ ରହିବ ଓ କେଉଁଠାରେ ଏହା ସ୍ଥଳଭାଗକୁ ଛୁଇଁବ, ସେ ସଂକ୍ରାନ୍ତରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଆଇଏମ୍ଡିର ସ୍ବତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ସୋମବାର ,୨୭ ତାରିଖ ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏହାର ଗତିପଥ ସୃଷ୍ଟି କରିବ । ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ।
ବାତ୍ୟାଟି ବିଶେଷତଃ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଉପକୂଳରେ ସ୍ଥଳ ଭାଗ ଛୁଇଁପାରେ । ଅବପାତର ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି। ବାତ୍ୟାର ନାମ ‘ମୋନ୍ଥା’ ରଖାଯାଇଛି । ଯାହାର ଅର୍ଥ ହେଉଛି ‘ସୁଗନ୍ଧିତ ଫୁଲ’ ବା ‘ସୁନ୍ଦର ଫୁଲ’। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ୨୭ ତାରିଖରେ ଜଣାପଡ଼ିବ ଏହାର ଗତି କେଉଁଆଡେ ହେବ । ୨୮ ତାରିଖରେ ବାତ୍ୟା ଅଧିକ ଘନୀଭୂତ ହେବ । ତେବେ ବିପଦ ନଥିବା କହିଛନ୍ତି ଶରତ ସାହୁ । ଝଡ଼ର ପ୍ରଭାବ ଓଡ଼ିଶା ଉପକୂଳକୁ ମୁହାଁଇବ କି ନାହିଁ ଆଉ ଦୁଇ ଦିନ ପରେ ଜଣାପଡ଼ିବ ।

















