ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ “ଅମଲାତନ୍ତ୍ର” ଏବଂ “ରାଜନୀତି” ମଧ୍ୟରେ ସଂପର୍କ ନୂଆ ନୁହେଁ । ଭିକେ ପାଣ୍ଡିଆନଙ୍କ ପରେ ଏବେ ତାଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ଦାବି ଏବେ ଚର୍ଚାର ଖୋରାକ ଯୋଗାଇଛି । ସେ କହିଛନ୍ତି “ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ” ଯାହା କି ଏବେ ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳ ଏବଂ ଭବିଷ୍ୟତ ରଣନୀତିକୁ ପଦାରେ ପକାଇଛି। ସୁଜାତା କାର୍ତ୍ତିକେୟନ କେବଳ ଭିକେ ପାଣ୍ଡିଆନଙ୍କ ପତ୍ନୀ ନୁହନ୍ତି, ବରଂ ଜଣେ ଅତି ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷ କରି ‘ମିଶନ ଶକ୍ତି’ ମାଧ୍ୟମରେ ସେ ରାଜ୍ୟର ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସହ ଯୋଡ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯାହା ପାଇଁ ସେ ପ୍ରଶଂସା ସାଉଁଟୁଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ମହିଳା ଭୋଟର। ଏହି ଭୋଟବ୍ୟାଙ୍କ ପ୍ରସ୍ତୁତ କରିବାରେ ସୁଜାତାଙ୍କ ପ୍ରଶାସନିକ ଯୋଜନାଗୁଡ଼ିକର ବଡ଼ ଅବଦାନ ରହିଛି। ସେ ନିକଟରେ ଚାକିରିରୁ ଅବସର ନେବା ପରେ ଏହା ଏକ ସ୍ପଷ୍ଟ ସଙ୍କେତ ଦେଉଥିଲା ଯେ, ସେ ହୁଏତ ଖୁବ୍ ଶୀଘ୍ର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ। ପ୍ରତିଷ୍ଠା ଦିବସ ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବୟାନ କେବଳ ଏକ ବ୍ୟକ୍ତିଗତ ମତାମତ ନୁହେଁ, ବରଂ ଏହା ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ୱର। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏପରିକି ବିଜେଡି ଭିତରେ ଏହାକୁ ନେଇ ଦୁଇ ମତ ରହିଛି । ପ୍ରଭାତ ସିଧାସଳଖ ବବି ଦାସ ଓ ଅତନୁ ସବ୍ୟସାଚୀଙ୍କ ଭଳି ନେତାଙ୍କୁ ଟାର୍ଗେଟ୍ କରିବା ସହ ସୁଜାତାଙ୍କୁ ରାଜ୍ୟସଭା ପଠାଇବା କଥା କହିଛନ୍ତି। ଏହା ସୂଚାଉଛି ଯେ, ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତାଙ୍କୁ ଦଳର ଏକ ଅଂଶ ଏବେ ମଧ୍ୟ ଚ୍ୟାଲେଞ୍ଜ କରୁଛି। ଯଦି ସୁଜାତାଙ୍କୁ ରାଜ୍ୟସଭା ପଠାଯାଏ, ତେବେ ବିଜେଡି ପୁଣି ଥରେ ମହିଳା କାର୍ଡ ଖେଳିପାରିବ। ସୁଜାତାଙ୍କୁ ଜଣେ ‘ଓଡ଼ିଆ ବୋହୂ’ ଏବଂ ‘ମହିଳା ସଶକ୍ତିକରଣର ଚେହେରା’ ଭାବେ ଉପସ୍ଥାପନ କରି ଦଳ ହୁଏତ ହଜିଯାଇଥିବା ମହିଳା ଭୋଟବ୍ୟାଙ୍କକୁ ଫେରାଇ ଆଣିବାକୁ ଚେଷ୍ଟା କରିବ।


















