ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ ଘଟଣା ନୁଆଁ ନୁହେଁ। ସବୁଠାରୁ ବଡ଼ କଥା ହେଲା ଗତ ବର୍ଷ ନରେନ୍ଦ୍ର ପୋଖରୀରେ ବାଣ ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟଣା। ଏହି ଖବର ରାଜ୍ୟବ୍ୟାପି ଚହଳ ପକାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯୁବକ ଜଣକ ମିଳିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ।














