କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

by newsroom MAR-28-2026 12:34 PM IST in ବଡ଼ ଖବର

ବିଶାଖାପଟ୍ଟଣମ୍ ରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇଞ୍ଜିନ୍ ସମସ୍ୟା ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଘଟଣାରେ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ କୌଣସି କ୍ଷତି ହୋଇନାହିଁ।

ବିମାନ ନମ୍ବର 6E 579 ବିଶାଖାପଟ୍ଟଣମ୍ ରୁ ଦିଲ୍ଲୀ ଆସୁଥିଲା। ଆକାଶରେ ଥିବା ସମୟରେ ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ଜରୁରୀ ସଙ୍କେତ ଦେଇ ଦିଲ୍ଲୀ ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀ ଘୋଷଣା କରାଯାଇଥିଲା। ବିମାନଟି ପ୍ରାୟ ୧୬୧ ଯାତ୍ରୀ ସହ ସୁରକ୍ଷିତ ଭାବେ ଅବତରଣ କରିଛି।

ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ, ପୂର୍ଣ୍ଣ ଜରୁରୀ ବ୍ୟବସ୍ଥା କରାଯାଇଥିଲା ଏବଂ ବିମାନଟି ସକାଳ ପ୍ରାୟ ୧୧ଟା ସମୟରେ ନିରାପଦ ଭାବେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ସୁରକ୍ଷା କାରଣରୁ ଜରୁରୀ ଅବତରଣ କରାଯାଇଛି।

ଯାତ୍ରୀମାନଙ୍କୁ ଅନ୍ୟ ବ୍ୟବସ୍ଥା ଦ୍ୱାରା ଗନ୍ତବ୍ୟସ୍ଥଳକୁ ପଠାଯିବ। ବିମାନକୁ ପରୀକ୍ଷଣ ପରେ ପୁନଃ ସେବାରେ ଲଗାଯିବ।ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ଘଟଣାର ତଦନ୍ତ କରୁଛି।