NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ।
କେବଳ ଅଫିସିଆଲ୍ ଅପଡେଟ୍ ଉପରେ ବିଶ୍ୱାସ କରିବାକୁ ପରାମର୍ଶ
ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ପୂର୍ବ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏବେ ନୂଆ ତାରିଖ ଘୋଷଣା କରିବା ସହ NTA ପକ୍ଷରୁ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ସତର୍କ କରାଯାଇଛି। କୌଣସି ଗୁଜବରେ ବିଶ୍ୱାସ ନକରି କେବଳ NTA ର ଅଫିସିଆଲ୍ ୱେବସାଇଟ୍ ଏବଂ ଯୋଗାଯୋଗ ମାଧ୍ୟମରେ ଦିଆଯାଉଥିବା ତଥ୍ୟ ଉପରେ ଭରସା କରିବାକୁ ଏଜେନ୍ସି ପକ୍ଷରୁ ଅନୁରୋଧ କରାଯାଇଛି।
ପରୀକ୍ଷା ସୂଚୀ:
ପୁନଃ ପରୀକ୍ଷା ତାରିଖ: ଜୁନ୍ ୨୧, ୨୦୨୬
ବାର: ରବିବାର
ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ NTA ଏବଂ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ସମ୍ପର୍କିତ ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ନିୟମିତ ଭାବେ NTA ର ପୋର୍ଟାଲ୍ ଚେକ୍ କରିବାକୁ କୁହାଯାଇଛି।
ଗତ ଗୁରୁବାର ଦିନ ସନ୍ଧ୍ୟାବେଳେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବାସରେ NEET-UG ପରୀକ୍ଷା ପୁଣିଥରେ କରାଇବା ପାଇଁ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ସରକାରୀ ସୂତ୍ର ଅନୁସାରେ, ଏହି ବୈଠକରେ ମେଡିକାଲ୍ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ହେଉଥିବା ପରୀକ୍ଷାର ବିଭିନ୍ନ ପ୍ରସଙ୍ଗ ଉପରେ ଭଲଭାବେ ଆଲୋଚନା କରାଯାଇଥିଲା।
ବୈଠକରେ ଉଚ୍ଚ ଶିକ୍ଷା ସଚିବ ବିନୀତ ଜୋଶୀ, ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର, National Testing Agency (NTA)ର ମହାନିର୍ଦ୍ଦେଶକ ଅଭିଷେକ ସିଂହ, Central Board of Secondary Education (CBSE)ର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ଓ ନବୋଦୟ ବିଦ୍ୟାଳୟ ସମିତି (NVS)ର ଆୟୁକ୍ତମାନେ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

