ସରକାରୀ ବସରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ, EV ବ୍ୟବହାର ପାଈଁ ରାଜ୍ୟବାସୀଙ୍କୁ ବିଭୂତି ଜେନାଙ୍କ ଅପିଲ୍

by newsroom MAY-13-2026 12:41 PM IST in ବଡ଼ ଖବର

ଦେଶରେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ କରିବା ସହ EV ବ୍ଯବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହାପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଅଧିକ ଇଭି ଗାଡି ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି। ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସୁରକ୍ଷା ଏବଂ ଏସପିଜି ପ୍ରୋଟକଲ ଅନୁସାରେ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଛି । ମୋଦୀଙ୍କର କାରକେଡ୍‌ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି। ୩ ପାଇଲଟ୍ ଗାଡ଼ି ମଧ୍ୟରୁ ମାତ୍ର ଗୋଟିଏ ବ୍ୟବହାର କରିବେ ଏବଂ ମୁଁ ନିଜେ ସରକାରୀ ବସ୍‌ ରେ ଯିବା ଆସିବା କରିବି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଇନ୍ଧନ ବଞ୍ଚାଇବାକୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏନେଇ ସେ କହିଛନ୍ତି ଯେ, ଅତି ଆବଶ୍ୟକ ସ୍ଥଳେ ନିଜ ଗାଡି ବ୍ୟବହାର କରିବି। ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି। ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ।