ଭଦ୍ରକ: ଭଦ୍ରକରେ ବିଜେଡି ଗଡ଼ ଭାଙ୍ଗୁଛି । ବିଜୁ ଜନତା ଦଳ (BJD)ରେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ବିଜେଡି ସମର୍ଥିତ ତିନି ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲା ରାଜନୀତିରେ ଏହି ଘଟଣାକୁ ନେଇ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ପତିଆରା ଏବେ କାଠଗଡ଼ାରେ।
ବିଜେଡିରୁ ଇସ୍ତଫା
ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଦଳରୁ ଇସ୍ତଫା ଦେଇଥିଲେ। ଏହା ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିବା ରାଜ୍ୟ ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ମନୋରଞ୍ଜନ ଘଡ଼େଇଙ୍କ ଇସ୍ତଫା ପରେ ପରେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ର ଅଧ୍ୟକ୍ଷା ମଧ୍ୟ ବିଜେଡି ଛାଡ଼ିଛନ୍ତି। କିଛିଦିନ ହେବ ବନ୍ତ, ଭଣ୍ଡାରିପୋଖରୀ, ବାସୁଦେବପୁର ଓ ଭଦ୍ରକ ବ୍ଲକ ଅଧ୍ୟକ୍ଷମାନେ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ବିଜେଡିର ଏହି କ୍ଷତି ଆଗାମୀ ଦିନରେ ବଢ଼ିବାର ସମ୍ଭାବନା ଥିବାରୁ ରାଜନୀତି ସରଗରମ ହୋଇଛି ।


















