ଦେଶଦ୍ରୋହୀ ତାଲିକାରେ କେବଳ ଯେ ହରିଆଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ନୁହଁନ୍ତି ବରଂ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଦେଶ ଭିତରେ ଅଛନ୍ତି ପାକିସ୍ତାନର ମାଳ ମାଳ ଗୁପ୍ତଚର । ଯେଉଁମାନଙ୍କୁ ଚିହ୍ନଟ କରି ଗତ ୩ ଦିନ ଭିତରେ ଗିରଫ କରାଯାଇଛି । ଏହି ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୟୁଟ୍ୟୁବର, ଛାତ୍ର, ସିକ୍ୟୁରିଟି ଗାର୍ଡ, ଆପ୍ ଡେଭଲପର, ଏବଂ ବ୍ୟବସାୟୀ ଅନ୍ତର୍ଭୁକ୍ତ, ଯେଉଁମାନେ ପାକିସ୍ତାନର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ପାଇଁ ସମ୍ବେଦନଶୀଳ ସୈନ୍ୟ ଓ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଥିଲେ। ଏହି ଘଟଣା ଏପ୍ରିଲ ୨୨, ୨୦୨୫ରେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ କିଛି ଦିନ ଭିତରେ ପାକିସ୍ତାନର ଗୁପ୍ତଚର ସନ୍ଦେହରେ ଯେଉଁ ୧୧ ଜଣଙ୍କୁ ଗିରଫ କରାଯାଇଛି ସେମାନେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜ୍ୟୋତି ମାଲହୋତ୍ରାଙ୍କ ସମେତ, ହରିଆଣାର ଦେବେନ୍ଦ୍ର ସିଂହ, ନୋମାଲ ଇଲାହୀ, ଅରମାନ । ପଞ୍ଜାବର ଗଜାଲା, ୟାମିନ ମହମ୍ମଦ, ମହମ୍ମଦ ମୁତେଜା ଅଲ୍ଲୀ ଭଳି ଅନେକଙ୍କୁ ଗିରଫ କରାଯାଇଛି । ଏପଟେ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ପୁରୀର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।