ଆପଣ ଭାଗ୍ୟ କୁହନ୍ତୁ । ସଂଯୋଗ କୁହନ୍ତୁ । ମା ର ଆବେଗ କୁହନ୍ତୁ । ଟ୍ରାଫିକ୍ ଜାମ କୁହନ୍ତୁ । ଶେଷ ମୁହୂର୍ତ୍ତରେ ସରି ନଥିବା କାମ କଥା କୁହନ୍ତୁ । ଯାତ୍ରାର ଅଳ୍ପ ସମୟ ପୂର୍ବରୁ ମନ ପରିବର୍ତ୍ତନ କଥା କୁହନ୍ତୁ । ଜୀବନରେ ଏମିତି ଗୋଟିଏ ଗୋଟିଏ ବେଳ ଆସେ । ଯେତେବେଳେ ଆପଣ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଦିଅନ୍ତି । ଆଉ ଏହି ବଦଳାଇଥିବା ନିଷ୍ପତ୍ତି ଆପଣଙ୍କ ଜୀବନ ରକ୍ଷା କରିଦିଏ । ମୁଁ ଆପଣଙ୍କୁ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ1 171 କଥା କହିବି । ଉପରକୁ ଉଠିବାର 30 ସେକେଣ୍ଡ ଭିତରେ କ୍ରାସ ହୋଇଥିବା ସେହି ଫ୍ଲାଇଟ୍ ଯେଉଁଥିରେ 241 ଜଣଙ୍କ ଜୀବନ ଗଲା । କିନ୍ତୁ ଫ୍ଲାଇଟ୍ ଚଢ଼ିବା ପୂର୍ବରୁ ଏହି 7 ଜଣ ବ୍ୟକ୍ତି ଶେଷ ମୁହୂର୍ତ୍ତରେ ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ । ଫ୍ଲାଇଟ୍ ଟିକେଟକୁ କ୍ୟାନସେଲ କରିଥିଲେ । ଆଉ ଏବେ ଧ୍ବଂସର ଚିତ୍ର , ଆଉ ଶବଗୁଡ଼ିକୁ ଦେଖି ଭାବୁଛନ୍ତି । ସତରେ ଆମେ ବଂଚିଲୁ କେମିତି ? ।
ଅମନ ବ୍ୟାସ । ବ୍ରିଟେନରେ ଏକ ଓ୍ବେୟାର ହାଉସରେ କାମ କରନ୍ତି । ଦୁଇ ବର୍ଷ ପରେ ଗୁଜରାଟ ଫେରିଥିବା ଅମନ ବ୍ୟାଗ୍ ପ୍ୟାକ୍ କରିସାରିଥିଲେ । ପାସପୋର୍ଟ ଆଉ ଆବଶ୍ୟକୀୟ ପେପରକୁ ପ୍ରସ୍ତୁତ କରି ରଖିଥିଲେ । ଘରୁ ବାହାରିବାର କିଛି ସମୟ ପୂର୍ବରୁ ବାପା ମାଙ୍କ ଆଶୀର୍ବାଦ ନେବା ପାଇଁ ଗଲେ । ମା ଙ୍କ ପାଦତଳେ ମୁଣ୍ଡ ନୁଆଁଇଲା ବେଳକୁ ତାଙ୍କ ମା ଭାଙ୍ଗିପଡ଼ିଲେ । ଥର ଥର କଣ୍ଠରେ ମା କହିଲେ, ଆଉ କିଛି ଦିନ ରହି ଯା ପୁଅ । ପୁଅ କିଛି କହିଲେ ନାହିଁ । ସଙ୍ଗେ ସଙ୍ଗେ ଟିକେଟକୁ କ୍ୟାନସଲ କରିଦେଲେ । ଟାଇମସ ଅଫ ଇଣ୍ଡିଆକୁ ଅମନ ବ୍ୟାସ କହିଛନ୍ତି । ଅପରାହ୍ନରେ ଯେତେବେଳେ ଫ୍ଲାଇଟ୍ କ୍ରାସ୍ ର ଖବର ଆସିଲା । ସେତେବେଳେ ମୁଁ ଅନୁଭବ କଲି , ମୋ ମା କାହିଁକି ମୋତେ ଅଟକାଉଥିଲେ । ମା ଭିତରକୁ ଆସୁଥିବା ଭାବନା, ମୋ ଜୀବନକୁ ବଂଚାଇଦେଲା ।
ଯମିନ ପଟେଲ ଏବଂ ପ୍ରିୟା ପଟେଲ । ଯମିନଙ୍କ ବୟସ 29 ବର୍ଷ । ପ୍ରିୟାଙ୍କ ବୟସ 25 ବର୍ଷ । ଏମାନେ ଅହମଦାବାଦର ଏୟାରପୋର୍ଟରେ ପହଁଚି ସାରିଥିଲେ । ହାତରେ ଥିଲା ପାସପୋର୍ଟ ଆଉ ଭିସା । ଲଣ୍ଡନରେ ଥିବା ତାଙ୍କ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସେମାନେ ଛୁଟି କଟାଇବା ପାଇଁ ଯାଉଥିଲେ । ସବୁ କିଛି ପ୍ରସ୍ତୁତ ଥିଲା । କିନ୍ତୁ ଚେକିଂ ପଏଣ୍ଟରେ ଅଫିସରମାନେ ଆଉ କିଛି ପେପର ମାଗିଲେ । ଯାହା ଏମାନଙ୍କ ପାଖରେ ନଥିଲା । ଏହି ଦୁଇଜଣଙ୍କୁ ବୋଡିଂର ସୁଯୋଗ ମିଳିଲା ନାହିଁ । ସେମାନେ ଘରକୁ ଫେରିଲେ । ଟିଭିରେ ଫ୍ଲାଇଟ୍ ଜଳୁଥିବାର ଦୃଶ୍ୟ ଦେଖି ଯମିନ କହୁଥିଲେ । ଭଗବାନଙ୍କ ପାଖରେ ମୁଁ ଏହାଠାରୁ ଅଧିକ କୃତଜ୍ଞ ହୋଇନଥିଲି । ସେହି ଅଫିସରମାନେ ଯେଉଁମାନେ ଫ୍ଲାଇଟ୍ କୁ ଯିବା ପାଇଁ ସୁଯୋଗ ଦେଇନଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ।
ସବଜି ଟିମ୍ବଡିଆ । ସିଟ୍ ନମ୍ବର 1ଏ । ନିଜ ପୁଅ ପାଖକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ଫ୍ଲାଇଟ୍ ଛାଡିବାର କିଛି ଘଣ୍ଟା ପୂର୍ବରୁ ସେ ହଠାତ ପୁଅ ପାଖକୁ ଫୋନ କଲେ । କହିଲେ , ମୋତେ ଫ୍ଲାଇଟ ରେ ଯିବାକୁ ଇଚ୍ଛା ହେଉନାହିଁ । ସୋମବାର ପର୍ଯ୍ୟନ୍ତ ମୋ ଲଣ୍ଡନ ଗସ୍ତକୁ ସ୍ଥଗିତ ରଖିବା । ତାଙ୍କ ମୁଣ୍ଡ ଭିତରକୁ ଏହି ଚିନ୍ତା କାହଁକି ଆସିଲା? ସେ ନିଜେ ବି ଜାଣିନାହାଁନ୍ତି । ମଣିଷ ମୁଣ୍ଡ ଭିତରକୁ ଆସୁଥିବା ଭାବନା ମଣିଷର ଜୀବନକୁ ଏମିତି ବଂଚାଇ ଦିଏ । ଯାହାର ଉତ୍ତର କାହା ପାଖରେ ନାହିଁ । ଫ୍ଲାଇଟ୍ କ୍ରାସ ହେବା ପରେ ସେ ଭାବୁଥିଲେ , ଲଣ୍ଡନ ଯାତ୍ରା କରିବା ପାଇଁ କାହିଁକି ସେ ଅସହଜ ମନେ କରୁଥିଲେ ।
ଭୂମି ଚହ୍ବାନ । ଗୁଜରାଟରେ ଛୁଟି କଟାଇଲା ପରେ ଲଣ୍ଡନରେ ରହୁଥିବା ନିଜ ସ୍ବାମୀଙ୍କ ପାଖକୁ ଯିବାପାଇଁ ଏୟାରପୋର୍ଟ ଆସୁଥିଲେ । କିନ୍ତୁ ବାଟରେ ଅହମଦାବାଦ ସିଟି ର ବିଜି ଟ୍ରାଫିକ ରେ ଫସିଗଲେ । ସେ ଆସି ଏୟାରପୋର୍ଟରେ ପହଁଚିଲେ 10 ମିନିଟ୍ ବିଳମ୍ଭରେ । ସେତେବେଳକୁ ଗେଟ ବନ୍ଦ ହୋଇଯାଇଥିଲା । ସମୟ ହୋଇଥିଲା 12 ଟା 10 ମିନିଟ୍ । ସେ କର୍ମଚାରୀମାନଙ୍କୁ ଅନୁରୋଧ କଲେ । କେହି ଶୁଣିଲେ ନାହିଁ । ସେ କ୍ଷୁବ୍ଧ ହୋଇ ଘରକୁ ଫେରିଗଲେ । ପ୍ରତିକ୍ରିୟାରେ ଭୂମି କହିଛନ୍ତି । ଏହା ଭଗବାନ ଗଣେଶଙ୍କର ଅଲୈାକିକ କାମ ଥିଲା ।
ଏବେ ଜାଣନ୍ତୁ ଜୟସ ଠକ୍କରଙ୍କ କାହାଣୀ । ସେ ଏକ ବିଜନେସ ଟ୍ରିପରେ ଲଣ୍ଡନ ଯିବା କଥା । କୋଲକତାରେ କାମ ସରିଲା ନାହିଁ । ବିଳମ୍ଭ ହେତୁ ସେ ଅହମଦାବାଦରେ ଠିକ୍ ସମୟରେ ପହଁଚିବେ ନାହିଁ ବୋଲି ଭାବିଲେ । ଏହା ପରେ ସେ ତାଙ୍କ ଯାତ୍ରା ବାତିଲ କରିଥିଲେ । ସତେ ଯେପରି କୋଲକତାରେ ତାଙ୍କ କାମ ବିଳମ୍ଭ ହେବା ତାଙ୍କ ଜୀବନ ବଂଚାଇବା ପାଇଁ ଉଦ୍ଧିଷ୍ଟ ଥିଲା ।
ରାଜୀବ ପଟେଲ । ନିଜ ଜ୍ବାଇଁଙ୍କ ସହ ଲଣ୍ଡନ ଯିବା କଥା । ସେଠାରେ ତାଙ୍କ 8 ବର୍ଷର ଏବଂ 4 ବର୍ଷର ନାତୁଣି ଅଛନ୍ତି । ଝିଅର କ୍ୟାନସରରେ ମୃତ୍ୟୁ ହୋଇଥିଲା । ଜ୍ବାଇଁ ଅନୁରୋଧ କରୁଥିଲେ । ସାଥିରେ ନେଇଯିବା ପାଇଁ । କିନ୍ତୁ ସେ ମନାକଲେ । ଏବଂ କହିଲେ ମୋର କିଛି କାମ ଅଛି । ଏହାପରେ ମୁଁ ନିଶ୍ଚୟ ପହଁଚିବି । ଏବେ ଉଭୟ ଝିଅ ଓ ଜ୍ବାଇଁକୁ ହରାଇଛନ୍ତି । କିଭଳି ନିଜ ଗସ୍ତକୁ ବାତିଲ କଲେ ସେ କଥା ଭାବୁଛନ୍ତି ।
ଏହି ଉଦାହରଣକୁ ଯଦି ଆପଣ ଭଲଭାବେ ଦେଖିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେବ । ବେଳେ ବେଳେ ମଣିଷ ଭିତରେ ଗୋଟିଏ ଅଜଣା ସ୍ବର ଶୁଣାଯାଏ । ଯାହାକୁ ଆପଣ ଇନର ଭଏସ କହିପାରନ୍ତି । ବା ଇଣ୍ଟୁଇସନ କହିପାରନ୍ତି । ଅନେକ ସମୟରେ ଯାହା ସତ ହୋଇଥାଏ । ଅନେକ ସମୟରେ ଯେଉଁ ଘଟଣା ଆମକୁ ଦୁଃଖ ଦେଇଥାଏ । ଆମକୁ ରଗେଇଥାଏ । ସେହି ଘଟଣା ପାଇଁ ଆମର ବଡ଼ ଲାଭ ହୋଇଥାଏ ଆଉ ଜୀବନ ବଂଚିଯାଇଥାଏ । ଜୀବନର ଯାତ୍ରା କେତେ ଅଦଭୂତ । କେତେ ଆଶ୍ଚର୍ଯ୍ୟ ଆଉ କେତେ ରହସ୍ୟମୟ ଦେଖନ୍ତୁ । ମଣିଷ ମରେ କାହିଁକି? ଆଉ ଅଳ୍ପରେ ବଂଚିଯାଏ କେମିତି ? ତାହାର ସରଳ ଉତ୍ତର ପାଇବା କଷ୍ଟକର ।