ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ଏସ୍ଆଇ ନିଯୁକ୍ତି ସ୍କାମ ମାମଲାରେ ଗିରଫ ହୋଇଥିବା ୧୧୪ଜଣ ଆଶାୟୀଙ୍କୁ ଜାମିନ ମିଳିଛି। ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବେ। ୫୦ ହଜାର ସହ 2ଜଣ ଜାମିନଦାରଙ୍କ ସହାୟତାରେ ମିଳିଛି ଜାମିନ। ଏମାନେ ସମସ୍ତେ ବିଜୟଓ୍ବାଡା ଯାଉଥିବା ବେଳେ ପୂର୍ବ ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏମାନେ ଟଙ୍କା ଦେଇ ଚାକିରି କରିବା ଯୋଜନାରେ ଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଡିଲ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଆଗୁଆ ପରୀକ୍ଷା ନେଇ ଟ୍ରେନିଂ ଦିଆଯାଇଥାନ୍ତା।
ଏହି ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି। ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି। ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ ଓ ଅଭିମନ୍ୟୁ ଦୋରାଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କେଳେଙ୍କାରୀର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)କୁ ହସ୍ତାନ୍ତର କରିବାକୁ ସୁପାରିଶ କରିଛନ୍ତି।
ଏହି ସ୍କାମର ଲିଙ୍କ୍ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟକୁ ବ୍ୟାପିଥିବା ଏବଂ ଏଥିରେ ଏକ ଅନ୍ତଃରାଜ୍ୟ ସଂଗଠିତ ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ପ୍ରାଥମିକ ତଦନ୍ତ ବେଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ ତିନୋଟି ବସ୍ରେ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା । ସେମାନେ ପ୍ରଶ୍ନପତ୍ର ପାଇବା ପାଇଁ ଦଲାଲମାନଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୨୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଥିଲେ ।
ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଏକ ଘରୋଇ ସଂସ୍ଥାର କର୍ମଚାରୀ ହିଁ ଏହି ସ୍କାମର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି । ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଫେରାଇ ଆଣିବା ପାଇଁ ସରକାର ଖୁବ୍ ଶୀଘ୍ର ପୋଲିସ ନିଯୁକ୍ତି ପାଇଁ ଏକ ସ୍ଥାୟୀ କମିଶନ ଗଠନ କରିବାକୁ ବିଚାର କରୁଛନ୍ତି । CBI ତଦନ୍ତ ଆରମ୍ଭ ହେବା ପରେ ଏହି ଦୁର୍ନୀତି ପଛରେ ଥିବା ସମସ୍ତ ବଡ଼ ଚେହେରା ପଦାକୁ ଆସିବେ ବୋଲି ଆଶା କରାଯାଉଛି।




















