ବିହାରରେ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ଗ୍ରହଣ ହେବ ଓ ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ। ଏଥର ବିହାର ବିଧାନସଭା ନିର୍ବାଚନରେ କେଉଁ ମେଣ୍ଟ ବାଜି ମାରିବ ତାହା କହିବା ମୁସ୍କିଲ । ବିହାରରେ ଜାତି ଭୋଟ ଯାହା ସପକ୍ଷରେ ଯାଇଛି ସେ ସରକାର କରିଛି । ମହିଳାମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଅଧିକ ଆସନ ପାଇଛନ୍ତି । କିନ୍ତୁ ଏଥର ଜାତି ଭୋଟ, ମହିଳା ଭୋଟ କାହା ପକ୍ଷରେ ଯିବ ତାହା ସ୍ପଷ୍ଟ ହୋଇନାହିଁ । ଏଥର ମହିଳାମାନଙ୍କ ପାଇଁ ଅନେକ ଲୋଭନୀୟ ଅଫର ଦିଆଯାଇଛି । ତେବେ ସବୁଠୁ ବଡ଼ ଅଫର ଦେଇଛି ଆରଜେଡି । ଆରଜେଡି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚାକିରି ସ୍ଥାୟୀ କରିବ ବୋଲି ଘୋଷଣା କରିଛି । ଆରଜେଡି ୧୪୩ ଆସନରେ ନିଜର ପ୍ରାର୍ଥୀ ଦେଇଛି । ଯାହା ଭିତରୁ ସବୁ ପାର୍ଟିଙ୍କ ଅପେକ୍ଷା ଆରଜେଡି ଅଧିକ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି । ୧୪୩ ଆସନ ଭିତରୁ ୨୪ ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି ଆରଜେଡି । ଅନ୍ୟମାନଙ୍କ ଭିତରେ ବିଜେପି ଆଉ ଜେଡିୟୁ କେବଳ ୧୩ ଜଣ ଲେଖାଏଁ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବାବେଳେ, ଆରଜେଡି ସବୁଠୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି । ଯାହାଫଳରେ ଅଧିକରୁ ଅଧିକ ମହିଳା ଆରଜେଡି ସପକ୍ଷରେ ଭୋଟ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବିହାରରେ ମହିଳା ଭୋଟ ପାଇଁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ମହିଳାମାନଙ୍କ ଚାକିରି ସ୍ଥାୟୀ କରାଯିବ । ସେମାନଙ୍କର ମାସିକ ଦରମା ବୃଦ୍ଧି କରାଯାଇ ୩୦,୦୦୦ ଟଙ୍କା କରାଯିବ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଏହି ଘୋଷଣା କରିଛନ୍ତି। ଏହା ଜୀବିକା ଦିଦିମାନଙ୍କର ଦୀର୍ଘ ଦିନର ଦାବି ବୋଲି ସେ କହିଛନ୍ତି। ତେବେ ସବୁଠୁ ବଡ଼ ଚିନ୍ତା ହେଲେ ଅନେକ ଆସନରେ ମହାଗଠବନ୍ଧନ (RJD, କଂଗ୍ରେସ, ବାମ ଦଳ ଓ ଭିଆଇପି) ମଧ୍ୟରେ ସିଟ୍ ବୁଝାମଣାକୁ ନେଇ ଅସନ୍ତୋଷ ରହିଛି । ଏହି ସମସ୍ୟାକୁ ସମାଧାନ କରାଯାଇପାରିନାହିଁ । କିଛି ଆସନ ଏପରି ରହିଛି,ମହାଗଠବନ୍ଧନର ମଧ୍ୟରେ ନିଜ ନିଜ ବିରୋଧରେ ପ୍ରାର୍ଥୀ ଲଢ଼େଇ କରୁଛନ୍ତି ।