ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

by newsroom MAY-01-2026 1:39 PM IST in ଦେଶ ବିଦେଶ

ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ଆହୁରି ଘନେଇବାରେ ଲାଗିଛି। ଇରାନ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ପକ୍ଷରୁ ଇସ୍ରାଏଲ୍‌କୁ ବହୁ ପରିମାଣର ଯୁଦ୍ଧ ସାମଗ୍ରୀ ଯୋଗାଇ ଦିଆଯାଉଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଆମେରିକା ୬,୫୦୦ ଟନ୍‌ର ଅସ୍ତ୍ରଶସ୍ତ୍ର ଇସ୍ରାଏଲ୍‌କୁ ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି।

୧ ଲକ୍ଷ ଟନ୍‌ରୁ ଅଧିକ ଯୁଦ୍ଧ ସାମଗ୍ରୀ

ରିପୋର୍ଟ ଅନୁଯାୟୀ, ଇରାନ-ଇସ୍ରାଏଲ୍ ଯୁଦ୍ଧ ପରିସ୍ଥିତି ଆରମ୍ଭ ହେବା ପରଠାରୁ ଇସ୍ରାଏଲ୍ ଏପର୍ଯ୍ୟନ୍ତ ପ୍ରାୟ ୧,୧୫,୬୦୦ ଟନ୍ ସାମରିକ ସରଞ୍ଜାମ ଗ୍ରହଣ କରିସାରିଛି। ଏହି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଣ ସୂଚାଉଛି ଯେ, ଆଗାମୀ ଦିନରେ ଏହି ସଂଘର୍ଷ ଆହୁରି ଭୟଙ୍କର ରୂପ ନେଇପାରେ।

ଆମେରିକାର ରଣନୀତି ଉପରେ ନଜର

ଇରାନ ବିରୋଧରେ ଇସ୍ରାଏଲ୍‌କୁ ସମସ୍ତ ପ୍ରକାର ସାହାଯ୍ୟ କରିବ ବୋଲି ଆମେରିକା ପୂର୍ବରୁ ଘୋଷଣା କରିସାରିଛି। ଏହି ପରିପ୍ରେକ୍ଷୀରେ, ଏତେ କମ୍ ସମୟ ମଧ୍ୟରେ ୬,୫୦୦ ଟନ୍‌ର ଗୋଳାବାରୁଦ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପଠାଯିବା ଏକ ବଡ଼ ରଣନୀତିର ଅଂଶବିଶେଷ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆଞ୍ଚଳିକ ଅସ୍ଥିରତା ବଢ଼ିବା ସମ୍ଭାବନା

ଇରାନ ପୂର୍ବରୁ ଚେତାବନୀ ଦେଇଛି ଯେ, ଯଦି ତା’ର ସୀମା ଭିତରେ କୌଣସି ପ୍ରକାର ଆକ୍ରମଣ ହୁଏ, ତେବେ ସେ ଏହାର କଡ଼ା ଜବାବ ଦେବ। ଅନ୍ୟପଟେ ଇସ୍ରାଏଲ୍ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହ ଆକ୍ରମଣାତ୍ମକ ମୁଦ୍ରାରେ ରହିଛି। ଆମେରିକାର ଏହି ପଦକ୍ଷେପ ମଧ୍ୟପ୍ରାଚ୍ୟର ଅସ୍ଥିରତାକୁ ଆହୁରି ବଢ଼ାଇ ଦେଇଛି।