ଅଫିସ କାମର ଚାପ ଏବଂ ଡେଡଲାଇନ୍ ମଧ୍ୟରେ କର୍ମଚାରୀମାନେ ପ୍ରାୟତଃ ନିଜ ପାଇଁ ସମୟ ପାଆନ୍ତି ନାହିଁ। କିନ୍ତୁ ଏହି ଧାରାକୁ ବଦଳାଇଛନ୍ତି ‘KK Create’ ର ପ୍ରତିଷ୍ଠାତା କାବ୍ୟା କର୍ଣ୍ଣାଟକ (Kavya Karnatac)। ସେ ନିଜର ୪୦ ଜଣିଆ ଟିମ୍ ପାଇଁ ପ୍ରତିଦିନ ଅଫିସରେ ୧ ଘଣ୍ଟାର ପିକନିକ୍ ବାଧ୍ୟତାମୂଳକ କରିଛନ୍ତି, ଯାହାକୁ ନେଇ ଏବେ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।
କ’ଣ ଏହି ‘ଅଫିସ ପିକନିକ୍’?
କାବ୍ୟା ନିଜର ଲିଙ୍କଡଇନ୍ (LinkedIn) ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରତିଦିନ ଦିନ ୨ଟା ବାଜିବା ମାତ୍ରେ ଅଫିସର ସମସ୍ତ କାମ ବନ୍ଦ ହୋଇଯାଏ। କାର୍ଯ୍ୟ ବ୍ୟସ୍ତତାକୁ ପଛରେ ପକାଇ କମ୍ପାନୀର ସମସ୍ତ ୪୦ ଜଣ ସଦସ୍ୟ ଏକାଠି ହୋଇ ହଲ୍ରେ ଜମା ହୁଅନ୍ତି। ଏହା କେବଳ ଏକ ଲଞ୍ଚ ବ୍ରେକ୍ ନୁହେଁ, ବରଂ ଏକ ପରିବାର ଭଳି ସମୟ ଅତିବାହିତ କରିବାର ମାଧ୍ୟମ।
ଏହି ନିୟମର କିଛି ମୁଖ୍ୟ ଦିଗ:
- କେହି ଏକା ଖାଆନ୍ତି ନାହିଁ: କାବ୍ୟାଙ୍କ କହିବା ଅନୁଯାୟୀ, ତାଙ୍କ ଅଫିସରେ କେହି ଏକା ଖାଆନ୍ତି ନାହିଁ। ଯିଏ ଯେଉଁଠି ପାରିଲେ ବସନ୍ତି, କିନ୍ତୁ ସମସ୍ତେ ଏକାଠି ବସି ଖାଦ୍ୟ ଖାଆନ୍ତି।
- ନାହିଁ କୌଣସି ପଦପଦବୀର ପ୍ରଭେଦ: ଏହି ୧ ଘଣ୍ଟା ପାଇଁ ଅଫିସରେ କୌଣସି ହାୟର୍କି (Hierarchy) ବା ପଦପଦବୀର ପାର୍ଥକ୍ୟ ରହେନାହିଁ। ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ନୂଆ କରି ଜଏନ୍ କରିଥିବା କର୍ମଚାରୀ ସମସ୍ତେ ସମାନ ଭାବେ ବସି ଗପସପ କରନ୍ତି।
- ଖାଦ୍ୟ ସହ ଖେଳ ଓ ମଜା: କେହି ନିଜ ଘରୁ ଆଣିଥିବା ସ୍ୱାଦିଷ୍ଟ ଖାଦ୍ୟ ବାଣ୍ଟନ୍ତି ତ ଆଉ କେହି ଜୋକ୍ସ କହି ସମସ୍ତଙ୍କୁ ହସାନ୍ତି। ବେଳେବେଳେ ଖାଇବା ମଝିରେ କିଛି ଖେଳ ମଧ୍ୟ ଖେଳାଯାଏ।
କାହିଁକି ଏହି ପ୍ରୟାସ?
କାବ୍ୟାଙ୍କ ମତରେ, ଏହି ୬୦ ମିନିଟ୍ର ସମୟ କର୍ମଚାରୀଙ୍କ ମଧ୍ୟରେ ଏକ ମଜବୁତ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରେ। ଏହାଦ୍ୱାରା ଅଫିସଟି କେବଳ କାମ କରିବା ଜାଗା ନୁହେଁ, ବରଂ ଏକ ପରିବାର ଭଳି ଅନୁଭବ ହୁଏ। ଏହି ସଂସ୍କୃତି ଯୋଗୁଁ କର୍ମଚାରୀମାନେ ଅଧିକ ଉତ୍ସାହର ସହ କାମ କରୁଛନ୍ତି।
ସୋସିଆଲ ମିଡିଆର ପ୍ରତିକ୍ରିୟା: ଲୋକମାନେ କାବ୍ୟାଙ୍କର ଏହି ଚିନ୍ତାଧାରାକୁ ଖୁବ୍ ପସନ୍ଦ କରିଛନ୍ତି। ଅନେକ କହିଛନ୍ତି ଯେ, ଆଧୁନିକ କର୍ପୋରେଟ୍ ଦୁନିଆରେ ଏଭଳି ମାନସିକତା ଖୁବ୍ କମ୍ ଦେଖିବାକୁ ମିଳେ।








