ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

by newsroom MAY-01-2026 12:00 PM IST in ରାଜନୀତି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତିକୁ ମାତ୍ର ଦୁଇ ଦିନ ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ବିଳମ୍ବିତ ରାତିରେ ଇଭିଏମ୍ (EVM) ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍‌ରେ ଜାଲିଆତି କରାଯାଉଥିବା ନେଇ ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିବା ପରେ ପରିସ୍ଥିତି ସରଗରମ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିବା ସହ ବିଜେପି ଓ ନିର୍ବାଚନ କମିଶନଙ୍କ ବିରୋଧରେ ବର୍ଷିଛନ୍ତି।

କ’ଣ ଏହି ପୂରା ବିବାଦ?

ତୃଣମୂଳ କଂଗ୍ରେସର ଅଭିଯୋଗ ଅନୁଯାୟୀ, ଦଳର କୌଣସି ପ୍ରାଧିକୃତ ପ୍ରତିନିଧିଙ୍କ ଅନୁପସ୍ଥିତିରେ ବାଲଟ୍ ବକ୍ସ ବା ଇଭିଏମ୍ ରଖାଯାଇଥିବା ବାକ୍ସଗୁଡ଼ିକୁ ଖୋଲାଯାଇଛି। ଦଳୀୟ କର୍ମକର୍ତ୍ତାମାନେ ଏହାକୁ ଭୋଟ୍ ଚୋରିର ଏକ ପ୍ରୟାସ ବୋଲି ଦର୍ଶାଇ କେନ୍ଦ୍ରୀୟ ବାହିନୀ ଓ ନିର୍ବାଚନ କର୍ମଚାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଷ୍ଟ୍ରଙ୍ଗରୁମ୍‌ରେ ମମତା ବାନାର୍ଜୀ

ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ପରେ ସେ କହିଛନ୍ତି ଯେ, “ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର ଚାଲିଛି। ଆମେ ଜନତାଙ୍କ ଜନାଦେଶକୁ କୌଣସି ପରିସ୍ଥିତିରେ ଚୋରି ହେବାକୁ ଦେବୁ ନାହିଁ।”

ତୃଣମୂଳର ଜୋରଦାର ବିରୋଧ

ଏହି ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ଷ୍ଟ୍ରଙ୍ଗରୁମ୍ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ନିର୍ବାଚନ କମିଶନ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସମସ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ବଙ୍ଗଳା ନିର୍ବାଚନ ଏବେ ଏକ ଜୋରଦାର ଲଢ଼େଇର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗଣତି ପୂର୍ବରୁ ଏହି ଇଭିଏମ୍ ବିବାଦ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ରାଜନୈତିକ ବାଦବିବାଦକୁ ଆହୁରି ତୀବ୍ର କରିଛି।