ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପାଇଁ ରାଞ୍ଚିରେ ଟସ୍ ପ୍ରକ୍ରିୟା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତେମ୍ବା ବଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ, କେ.ଏଲ୍. ରାହୁଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ପାଇଁ ଭାରତୀୟ ପ୍ଲେଇଙ୍ଗ୍ ଇଲେଭେନ୍ରୁ ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇଛି। ଟସ୍ ସମୟରେ ରାହୁଲ୍ ଦଳର ରଣନୀତି ଉପରେ କିଛି ସୂଚନା ଦେଇଛନ୍ତି। ପିଚ୍ ସ୍ଥିତି ଓ ପରବର୍ତ୍ତୀ ସମୟରେ କାକରର ପ୍ରଭାବକୁ ଦୃଷ୍ଟିରେ ରଖି ବଭୁମା ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୩ ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ଏସିଆ କପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହୋଇଥିବା ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରୁଛି। ବିଶ୍ୱର ଏକ ନମ୍ବର ଦଳ ଭାରତ ଏହି ଶୃଙ୍ଖଳାରେ ବିଜୟୀ ହେବାକୁ ଆଶା ରଖିଥିବାବେଳେ, ଅଧିନାୟକ ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଅନୁପସ୍ଥିତି ଦଳ ପାଇଁ ଶକ୍ତ ଧକ୍କା ହେବ ବୋଲି ଆଶଙ୍କା କରାଯାଉଛି।
ଅଧିନାୟକ କେ.ଏଲ୍. ରାହୁଲ ଦଳ ଘୋଷଣା କରିବା ସହ ସୂଚନା ଦେଇଛନ୍ତି ଯେ ଭାରତ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲା। ତେବେ ଖେଳାଳିମାନେ ଏହି ସୁଯୋଗର ଉପଯୋଗ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଭାରତ (ପ୍ଲେଇଙ୍ଗ୍ ଇଲେଭେନ୍): ଟପ୍ ଅର୍ଡର: ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ୍ , ୱାଶିଂଟନ୍ ସୁନ୍ଦର, କେ.ଏଲ୍. ରାହୁଲ (ୱିକେଟ୍ କିପର/ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ ।
ଦଳରେ ତିନି ଜଣ ସ୍ପିନର ଜାଡ଼େଜା, ସୁନ୍ଦର, କୁଲଦୀପ ଏବଂ ତିନି ଜଣ ଦ୍ରୁତ ବୋଲର ହର୍ଷିତ ରାଣା, ଅର୍ଶଦୀପ, ପ୍ରସିଦ୍ଧ ଖେଳୁଥିବା ରାହୁଲ ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ୱାଶିଂଟନ୍ ସୁନ୍ଦର ଏଠାରେ ସ୍ପିନିଂ ଅଲ୍ରାଉଣ୍ଡର୍ ଭୂମିକା ତୁଲାଇବେ। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଦଳ ଭଲ ପ୍ରସ୍ତୁତି କରିଛି ଏବଂ ସମସ୍ତେ ସୁଯୋଗକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି।




















