ଆଜିଠୁ ପଶ୍ଚିମବଙ୍ଗରେ ବିଜେପିର ସରକାର। ବଙ୍ଗର ନେତୃତ୍ୱ ନେବେ ଶୁଭେନ୍ଦୁ ଅଧିକାରୀ। କବି ରବୀନ୍ଦ୍ରନାଥ ଠାକୁରଙ୍କ ୧୬୫ତମ ଜୟନ୍ତୀ ଅବସରରେ ସକାଳ ୧୧ଟାରେ କୋଲକାତାର ବ୍ରିଗେଡ୍ ପେରେଡ୍ ଗ୍ରାଉଣ୍ଡରେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଏହି ଶପଥ ଗ୍ରହଣ ଉତ୍ସବରେ ବଙ୍ଗାଳୀ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହେଉଛି ଏବଂ ବ୍ରିଗେଡ୍ ପେରେଡ୍ ଗ୍ରାଉଣ୍ଡରେ ପ୍ରଥମଥର ଏଭଳି ଶପଥ ଗ୍ରହଣ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଜେପି ଏବଂ NDA ଶାସିତ ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିପାରନ୍ତି।
ଏଥିସହ ବିଜେପି ସାଂସଦ, ବିଧାୟକ ଏବଂ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗ ଦେବେ। ତେଣୁ ବ୍ରିଗେଡ୍ ଗ୍ରାଉଣ୍ଡ ସହ କୋଲକାତା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ପୋଲିସ ବ୍ରିଗେଡ୍ ପେରେଡ୍ ଗ୍ରାଉଣ୍ଡକୁ ପ୍ରାୟ ୩୫ଟି ସେକ୍ଟରରେ ବିଭକ୍ତ କରିଛି। କିଛି ସେକ୍ଟରକୁ ମିଶାଇ ଏକ ବ୍ଲକ୍ କରାଯିବ ଏବଂ ପ୍ରତ୍ୟେକ ବ୍ଲକ୍ର ସୁରକ୍ଷା ଦାୟିତ୍ୱ ଏକ IPS ଅଧିକାରୀଙ୍କୁ ଦିଆଯିବ। କୋଲକାତା ପୋଲିସ କମିଶନର ଅଜୟ ନନ୍ଦା ସମଗ୍ର ସୁରକ୍ଷାର ଦାୟିତ୍ୱ ନେବେ।
VVIP ଅତିଥିମାନଙ୍କ ପାଇଁ ଆଗର କିଛି ବ୍ଲକ୍ ରଖାଯିବ ଏବଂ ସେଠାରେ ସବୁଠାରୁ ଅଧିକ ସୁରକ୍ଷା ରହିବ। ପ୍ରାୟ ୪୦ଜଣ VVIP ଯୋଗ ଦେଇପାରନ୍ତି। ପୋଲିସ ସୂଚନା ଅନୁଯାୟୀ, ଆମନ୍ତ୍ରିତ ଅତିଥିମାନଙ୍କ ସହ ବହୁ ସଂଖ୍ୟକ ବିଜେପି ସମର୍ଥକ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସମର୍ଥକଙ୍କ ସଂଖ୍ୟା ଲକ୍ଷାଧିକ ହେବାର ସମ୍ଭାବନା ରହିଛି।











