ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଏକ ବଡ଼ ସ୍କୋର ଛିଡ଼ା କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଏକ ବିଶାଳ ଟାର୍ଗେଟ୍ ରଖିଛି। ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ ୮ ବଲରୁ ୧୪ ରନ କରିଥିଲେ । ଯଶସ୍ଵୀ ଜୟସ୍ଵାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ୨୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ ଇନିଂସ ସମ୍ଭାଳିଥିଲେ। ଆଜି ଋତୁରାଜ ଗାଏକ୍ଵାଡ଼ ଭଲ ଫର୍ମରେ ନଜର ଆସିଥିଲେ। ଦୁଇ ବ୍ୟାଟର ବିପକ୍ଷ ବୋଲରଙ୍କ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ପ୍ରଥମ ଦିନିକିଆ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୫୭ ସ୍କୋରରେ ପହଞ୍ଚାଇଥିଲେ। ତେବେ ଶତକ ହାସଲ କରିବା ପରେ ପରେ ଦୁଇ ବ୍ୟାଟର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇଥିଲେ।
ଗାଏକ୍ଵାଡ଼ ୮୩ ବଲରୁ ୧୨ ଚୌକା ଓ ୨ ଛକା ସହ ୧୦୫ ରନ କରିଥିଲେ। କୋହଲି ୯୩ ବଲରୁ ୭ ଚୌକା ଓ ୨ ଛକା ସହ ୧୦୨ ରନ କରିଥିଲେ। ଏହା ପରେ କେଏଲ ରାହୁଲ ପୁଣି ଥରେ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। କ୍ରମାଗତ ଅର୍ଦ୍ଧଶତକ ହାସଲ କରି ୪୩ ବଲରୁ ୬ ଚୌକା ଓ ୨ ଛକା ସହ ୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡ଼େଜା ୨୪ ରନ କରିଥିଲେ। ଭାରତ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି।
ରାୟପୁରର ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଆରମ୍ଭ କିଛିଟା ମନ୍ଥର ଥିଲା, ପ୍ରଥମେ ରୋହିତ, ପରେ ଜୟସ୍ବାଲ ଆଉଟ ହେବା ପରେ କ୍ରିଜରେ ଯୋଡି ହୋଇଥିବା ବିରାଟ କୋହଲି ଏବଂ ରୁତୁରାଜ ଗାଏକୱାଡ ଧୈର୍ଯ୍ୟର ସହ ଇନିଂସକୁ ଆଗେଇ ନେଇଥିଲେ।




















