ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ବିଶେଷ ଭାବେ ଶାହ ଓ ନଡ୍ଡା ନିତିନ ନବୀନଙ୍କୁ ତାଙ୍କ ଚୌକିରେ ବସାଇ ଦାୟିତ୍ୱ ଗ୍ରହଣ କରାଇବା ଘଟଣା ତାଙ୍କର ଦଳରେ ବଢ଼ୁଥିବା ଗୁରୁତ୍ୱକୁ ଦର୍ଶାଉଛି।
ପାର୍ଟି ଅଫିସରେ ପହଞ୍ଚିବା ପରେ ନୀତିନ ନବୀନଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ବିଶାଳ ସ୍ୱାଗତ ସମାରୋହରୁ ଏକଥା ସ୍ପଷ୍ଟ ଯେ ଆଗକୁ ସେ ଦଳର ସ୍ଥାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ରାସ୍ତା ପରିଷ୍କାର ହୋଇସାରିଛି।
ବିଜେପି ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଭାବରେ ନୀତିନଙ୍କ କାର୍ଯ୍ୟଶୈଳୀ ଓ ସାଙ୍ଗଠନିକ ଦକ୍ଷତାକୁ ନିକଟରୁ ପରଖିବ। ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବାର ପୂର୍ଣ୍ଣ ସମ୍ଭାବନା ରହିଛି।
ମାତ୍ର ୪୫ ବର୍ଷ ବୟସରେ ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବାରେ ନୀତିନ ନବୀନ ହେଉଛନ୍ତି ବିଜେପିର ସବୁଠୁ କନିଷ୍ଠ ନେତା। ଦଳରେ ବହୁ ତୁଙ୍ଗ ଓ ଭେଟେରାନ୍ ନେତା ଥାଉ ଥାଉ କାହିଁକି ତାଙ୍କୁ ବଛାଗଲା, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପଛରେ କେତେକ ବଡ଼ କାରଣ ରହିଛି:
ଯୁବ ଚେହେରା ଓ ନିର୍ମଳ ଛବି
ସେ ଜଣେ ଯୁବ ଚେହେରା ଏବଂ ନିଜ ରାଜନୈତିକ କ୍ୟାରିୟରରେ କୌଣସି ବିବାଦରେ ନାହାନ୍ତି।
ସାଂଗଠନିକ ଦକ୍ଷତା
ସେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରହିଛନ୍ତି ଏବଂ ତୃଣମୂଳସ୍ତରରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।
ଛତିଶଗଡ଼ରେ ସଫଳତା
୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେ ପ୍ରଭାରୀ ଦାୟିତ୍ୱ ତୁଲାଇ ପ୍ରଚଣ୍ଡ ବହୁମତ ସହ ବିଜେପି ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବରିଷ୍ଠ ଓ ଯୁବ ନେତୃତ୍ୱଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାରେ ସେ ଦକ୍ଷ।
ବିହାରରେ ସଡ଼କ ନିର୍ମାଣ, ଆଇନ, ନଗର ଉନ୍ନୟନ ଓ ହାଉସିଂ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ନୀତିନ ନବୀନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ୨୬ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ। ଅନ୍ୟ ଦଳମାନେ ବରିଷ୍ଠ ନେତାଙ୍କୁ ଭରସୁଥିବା ବେଳେ ବିଜେପି ଯୁବ ଚେହେରା ନୀତିନଙ୍କୁ ଗୁରୁ ଦାୟିତ୍ୱ ଦେଇ ଭବିଷ୍ୟତ ନେତୃତ୍ୱ ପାଇଁ ପ୍ରସ୍ତୁତ କରୁଛି।















