ସୁରଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଜବରଦସ୍ତ ପ୍ରଭାବ ପଡିଛି। ରାନ୍ଧଣା ଗ୍ୟାସ ମିଳୁନଥିବାରୁ ସେମାନେ ରୋଷେଇ କରିପାରୁନାହାନ୍ତି। ସ୍ୱଳ୍ପ ରୋଜଗାର ହେତୁ ଚଢା ଦାମ ଦେଇ ହୋଟେଲରେ ଖାଇବା ମଧ୍ୟ ସମ୍ଭବ ନୁହେଁ । ଫଳରେ ଶହ ଶହ ଓଡ଼ିଆ ଶ୍ରମିକ ଏବେ ଘରମୁହାଁ ହେଉଛନ୍ତି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁରୁ ବର୍ଷ ବର୍ଷ ଧରି ସୁରତରେ କାମ କରୁଥିବା ଓଡ଼ିଆ ଶ୍ରମିକ ମାନେ ନିଜ ଗାଁକୁ ଫେରୁଛନ୍ତି । କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସୁରତରେ ଉତ୍କଟ ଗ୍ୟାସ ସମସ୍ୟା ଦେଖିବାକୁ ମିଳିଛି । ଗ୍ୟାସ ସିଲିଣ୍ଡର ପିଛା ୫ ହଜାରରୁ ୭ ହଜାର ଟଙ୍କା ଯୋଗୁଁ ଆଉ କୌଣସି ଉପାୟ ନ ପାଇ ଶେଷରେ ନିଜ ନିଜ ଗାଁକୁ ଫେରିଛନ୍ତି। ଗାଁକୁ ଫେରି ଆସିଥିବା ବେଳେ ଏବେ କଣ କରିବେ ତାକୁ ନେଇ ସେମାନେ ଚିନ୍ତାରେ । ସେପଟେ ସୁରତରୁ ଆସିଥିବା ଓଡ଼ିଆ ଶ୍ରମିକଙ୍କ ତଥ୍ୟ ରଖାଯାଉଛି ଓ ସେମାନଙ୍କୁ ସରକାରଙ୍କ ପକ୍ଷରୁ କର୍ମ ନିଯୁକ୍ତି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
ଉଧାନାରୁ ଆସି ବ୍ରହ୍ମପୁରରେ ପହଞ୍ଚିଲା ଅମୃତ ଭାରତ ଟ୍ରେନ । ଆଉ ଏହି ଟ୍ରେନରୁ ଓହ୍ଲାଇଲେ ଶହ ଶହ ଓଡ଼ିଆ ଶ୍ରମିକ । ହଠାତ୍ ଏତେ ମାତ୍ରାରେ ଓଡ଼ିଆ ଶ୍ରମିକ ବ୍ରହ୍ମପୁରରେ ପହଞ୍ଚିବା ପଛରେ ଦଣ୍ଡନାଚ ନୁହେଁ ବରଂ ଗ୍ୟାସ ସଙ୍କଟ ମୁଖ୍ୟ କାରଣ ଥିବା ଜଣାପଡ଼ିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସାରା ଭାରତ ଭଳି ସୁରତରେ ମଧ୍ୟ ଗ୍ୟାସ ସଙ୍କଟ ଦେଖିବାକୁ ମିଳିଛି ।
ସୁରତରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁରୁ ହଜାର ହଜାର ଲୋକେ ବର୍ଷ ବର୍ଷ ଧରି ସେଠିକାର ସୁତା କଳ ଠାରୁ ଆରମ୍ଭ କରି ଅନ୍ୟ କମ୍ପାନୀରେ କାମ କରୁଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ଗ୍ୟାସ ସିଲିଣ୍ଡରର ଦର ୫ ହଜାରରୁ ୭ ହଜାର ଟଙ୍କାରେ ବିକ୍ରି ହେଉଛି । ଯେହେତୁ ଓଡ଼ିଆ ଶ୍ରମିକଙ୍କୁ ସେଠାରେ ମାତ୍ର ୨୦ ହଜାରରୁ ୩୦ ହଜାର ଟଙ୍କା ଦରମା ଦିଆଯାଉଛି । ତେଣୁ ୫ ରୁ ୭ ହଜାର ଟଙ୍କାରେ କିଭଳି ଗ୍ୟାସ କିଣିବେ ଓ ସେଠାରେ ଚଳିବେ । ତାହାକୁ ନେଇ ଚିନ୍ତା ପ୍ରକଟ କରି ନିଜ ଗାଁକୁ ଫେରିଥିବା କହିଛନ୍ତି ଓଡ଼ିଆ ଶ୍ରମିକ ମାନେ । ତେବେ ଯଦିଓ ଗ୍ୟାସ ସଙ୍କଟ ଯୋଗୁଁ ଗାଁକୁ ଫେରିଛନ୍ତି ତଥାପି ବର୍ତ୍ତମାନ ଗାଁରେ ସେମାନେ କଣ କାମ କରିବେ ତାହାକୁ ନେଇ ଓଡ଼ିଆ ଶ୍ରମିକମାନେ ଏବେ ଚିନ୍ତାରେ ।
ତେବେ ଓଡ଼ିଆ ଶ୍ରମିକ ମାନେ ନିଜ ଗାଁକୁ ଆସିଥିବା ବେଳେ କାମ ନ ପାଇଲେ ବେକାରୀ ସମସ୍ୟା ଗଞ୍ଜାମ ଜିଲ୍ଲାରେ ବଢ଼ିବ । ତେଣୁ ସେମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଆବଶ୍ୟକ । ନତୁବା ଜିଲ୍ଲା ପ୍ରଶାସନ ପାଇଁ ମଧ୍ୟ ଏହା ଏକ ଚିନ୍ତାର ବିଷୟ ହେବ ବୋଲି କହିଛନ୍ତି ବୁଦ୍ଧିଜୀବି । ସେପଟେ ସୁରତରୁ ଓଡ଼ିଆ ଶ୍ରମିକ ମାନେ ଫେରୁଥିବା ବେଳେ କେତେ ମାତ୍ରାରେ ଓଡ଼ିଆ ଫେରୁଛନ୍ତି ତାହାର ସମସ୍ତ ତଥ୍ୟ ରଖାଯାଉଛି । ବ୍ଲକ ତଥା ପଞ୍ଚାୟତ ସ୍ତରରେ ଶ୍ରମ ବିଭାଗର କର୍ମଚାରୀ ଓ ପଞ୍ଚାୟତର କର୍ମଚାରୀ ମାନେ ମଧ୍ୟ ଓଡ଼ିଆ ଶ୍ରମିକଙ୍କ ଉପରେ ନଜର ରଖିଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କୁ କର୍ମ ନିଯୁକ୍ତି ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।










