କୁହାଯାଏ କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ। ଏହି କଥାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୁଳ ଗାଁର ପୋଷା କୁକୁର ‘କାଳୀ’। ନିଜ ଜୀବନକୁ ପାଣି ଛଡ଼ାଇ ଏକ ବିଷାକ୍ତ ସାପ ସହ ଲଢ଼େଇ କରି ୩୦ରୁ ଅଧିକ ପିଲାଙ୍କ ଜୀବନ ବଞ୍ଚାଇ ଦେଇଛି ଏହି ମହାନ ଜୀବ।
ଘଟଣାଟି କ’ଣ ଥିଲା?
ସୂଚନା ଅନୁଯାୟୀ, ଗାଁର ଏକ ସ୍ଥାନରେ ପ୍ରାୟ ୩୦ ଜଣ ପିଲା ଏକାଠି ହୋଇ ଖେଳୁଥିଲେ। ସେହି ସମୟରେ ପାଖରେ ଥିବା ଏକ କୂଅ ଭିତରୁ ଏକ ବିଷାକ୍ତ ସାପ ବାହାରି ପିଲାମାନଙ୍କ ଆଡ଼କୁ ମାଡ଼ି ଆସିଥିଲା। ପିଲାମାନେ ଏ ବିଷୟରେ କିଛି ଜାଣିବା ପୂର୍ବରୁ ‘କାଳୀ’ ସେଠାରେ ପହଞ୍ଚି ଯାଇଥିଲା।
ସାପ ସହ କାଳୀର ଲଢ଼େଇ:
ପିଲାମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ କାଳୀ ସାପଟି ଉପରକୁ ଝାମ୍ପି ପଡ଼ିଥିଲା। ସାପଟିକୁ କାମୁଡ଼ି ମାରିଦେବାକୁ ଚେଷ୍ଟା କରୁଥିବା ବେଳେ ବିଷାକ୍ତ ସାପଟି କାଳୀର ପାଟିରେ ଦଂଶନ କରିଥିଲା। ଏହା ସତ୍ତ୍ୱେ କାଳୀ ହାର୍ ମାନିନଥିଲା ଏବଂ ସାପଟିକୁ ମାରିବା ପରେ ହିଁ ଶାନ୍ତ ପଡ଼ିଥିଲା। କିନ୍ତୁ ବିଷ ଶରୀରରେ ବ୍ୟାପି ଯିବାରୁ କିଛି ସମୟ ପରେ କାଳୀର ମୃତ୍ୟୁ ହୋଇଥିଲା।
ଗାଁରେ ଶୋକାକୂଳ ପରିବେଶ:
ନିଜ ଜୀବନ ଦେଇ ଗାଁର ଛୋଟ ଛୋଟ ପିଲାଙ୍କୁ ନୂଆ ଜୀବନ ଦେଇଥିବା କାଳୀର ମୃତ୍ୟୁ ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ କାଳୀର ମୃତଦେହକୁ ନେଇ ସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି।
ଜଣେ ଗ୍ରାମବାସୀ କହିଛନ୍ତି , “ଯଦି ଆଜି କାଳୀ ନଥାନ୍ତା, ତେବେ ଗାଁର ଅନେକ ପିଲାଙ୍କ ଜୀବନ ବିପଦରେ ପଡ଼ିଥାନ୍ତା। ସେ ନିଜେ ମରି ଆମ ପିଲାମାନଙ୍କୁ ବଞ୍ଚାଇ ଦେଇଛି।”

&w=382&resize=382,232&ssl=1)






/sambad/media/media_files/2026/04/22/chatgpt-image-2026-04-22-16-54-24.png?w=640&resize=640,360&ssl=1)

