ଆଜିକାଲି ମୋଟା ପଣ ସମସ୍ତଙ୍କ ପାଇଁ ଗୋଟାଏ ବଡ ଚିନ୍ତାର କାରଣ ଉଭା ହୋଇଛି । ଯେତେବେଳେ ମୋଟାପଣ କଥା ଆସେ, ସେତେବେଳେ ସବୁ ଦୋଷ ଭାତ ଉପରେ ଲଦି ଦିଆଯାଏ। ଅନେକ ଲୋକ ଡାଏଟିଂ ଆରମ୍ଭ କଲା ମାତ୍ରେ ପ୍ରଥମେ ଭାତ ଖାଇବା ବନ୍ଦ କରିଦିଅନ୍ତି। ତେବେ ପ୍ରକୃତରେ ଭାତ ଖାଇଲେ ଓଜନ ବଢ଼େ କି? ଏକ୍ସପର୍ଟଙ୍କ ଅନୁଯାୟୀ, କେବଳ ଭାତ ଖାଇଲେ ଓଜନ ବଢ଼େ ନାହିଁ, ବରଂ ଆପଣ କେଉଁ ପ୍ରକାରର ଚାଉଳ, କେତେ ପରିମାଣରେ ଏବଂ କେଉଁ ଉପାୟରେ ଖାଉଛନ୍ତି ତାହା ଉପରେ ଓଜନ ନିର୍ଭର କରେ।
ହ୍ଵାଇଟ୍ ବନାମ ବ୍ରାଉନ୍ ରାଇସ୍
ହେଲଥ୍ ୱେବସାଇଟ୍ ଅନୁଯାୟୀ, ବ୍ରାଉନ୍ ରାଇସ୍ ଏବଂ ବଣୁଆ ଚାଉଳ ହେଉଛି ସମ୍ପୂର୍ଣ୍ଣ ଶସ୍ୟ । ଏଥିରେ ପ୍ରଚୁର ପରିମାଣରେ ଫାଇବର୍, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଶରୀର ପାଇଁ ଲାଭଦାୟକ। ଅନ୍ୟପଟେ, ଧଳା ଚାଉଳ ପ୍ରସ୍ତୁତ କରିବା ସମୟରେ ଏହାର ଉପରି ଭାଗକୁ ସଫା କରାଯାଉଥିବାରୁ ଏଥିରୁ ପୋଷକ ତତ୍ତ୍ୱ ଏବଂ ଫାଇବର୍ର ମାତ୍ରା କମିଯାଏ।
ରିସର୍ଚ୍ଚ କଣ କହୁଛି ?
ଆମେରିକାନ୍ ହାର୍ଟ ଆସୋସିଏସନ୍ ଅନୁଯାୟୀ, ସମ୍ପୂର୍ଣ୍ଣ ଶସ୍ୟ ବା ବ୍ରାଉନ୍ ରାଇସ୍ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ୍ ରଖିବାରେ ସାହାଯ୍ୟ କରେ। ଫଳରେ ବାରମ୍ବାର ଭୋକ ଲାଗେ ନାହିଁ ଏବଂ ଓଜନ ନିୟନ୍ତ୍ରଣରେ ରହେ। ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ବ୍ରାଉନ୍ ରାଇସ୍ ପରି ସମ୍ପୂର୍ଣ୍ଣ ଶସ୍ୟ ଅଧିକ ଖାଆନ୍ତି, ସେମାନଙ୍କ କ୍ଷେତ୍ରରେ ମୋଟାପଣ, ହୃଦରୋଗ ଏବଂ ମଧୁମେହର ଆଶଙ୍କା କମ୍ ଥାଏ।
ଧଳା ଚାଉଳ କଣ କ୍ଷତିକାରକ ?
ଏକ୍ସପର୍ଟଙ୍କ ଅନୁଯାୟୀ, ଧଳା ଚାଉଳରେ ଷ୍ଟାର୍ଚ ଏବଂ ଶର୍କରାର ମାତ୍ରା ଅଧିକ ଥାଏ। ଏହାକୁ ଅଧିକ ପରିମାଣରେ ଖାଇଲେ ରକ୍ତରେ ଶର୍କରା ବଢ଼ିପାରେ। ଯଦି କେହି ବହୁତମାତ୍ରାରେ ଧଳା ଚାଉଳ ଖାଉଛନ୍ତି କିନ୍ତୁ କୌଣସି ଶାରୀରିକ ପରିଶ୍ରମ କରୁନାହାଁନ୍ତି, ତେବେ ଓଜନ ବଢ଼ିବାର ସମ୍ଭାବନା ରହିଥାଏ। ଧଳା ଚାଉଳ ଶରୀରକୁ ସିଧାସଳଖ କ୍ଷତି ପହଞ୍ଚାଏ ନାହିଁ, କିନ୍ତୁ ଏହାକୁ ସୀମିତ ପରିମାଣରେ ଖାଇବା ଆବଶ୍ୟକ।











